ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି, ବୈଜ୍ଞାନିକ ତଥା ଇମ୍ଫାର ପ୍ରତିଷ୍ଠାତା ବଂଶୀଧର ପଣ୍ଡାଙ୍କର ଆଜି ସକାଳ ପ୍ରାୟ ୯ଟା ବେଳେ ବମିଖାଲସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ପଣ୍ଡାଙ୍କର ଶେଷ ଦର୍ଶନ କରିବା ପରେ ବାରଙ୍ଗ ନିକଟସ୍ଥ ମଧୁବନ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗତ ପଣ୍ଡାଙ୍କର ବଡ଼ ପୁଅ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖାଗ୍ନି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳେ ଶ୍ରୀ ପଣ୍ଡା ତାଙ୍କ ନିଜ ଗ୍ରାମ ବାରଙ୍ଗ ନିକଟସ୍ଥ ମଧୁବନ ଯାଇଥିଲେ। ସେଠାରେ ତାଙ୍କର ଇଷ୍ଟ ଦେବତା ନୃସିଂହନାଥଙ୍କୁ ଦର୍ଶନ କରି ଭୁବନେଶ୍ୱର ବାସଭବନକୁ ଫେରିଆସିଥିଲେ। ଏହାର କିଛି ସମୟ ପରେ ତାଙ୍କର ପରଲୋକ ହୋଇଯାଇଥିଲା। ମୃତ୍ୟୁ ଖବର ପ୍ରଚାର ହେବା ପରେ ଶେଷ ଦର୍ଶନ ପାଇଁ ରାଜନେତା ଓ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଶିଳ୍ପପତି ତାରା ପଟ୍ଟନାୟକ, ଲେଖିକା ପ୍ରତିଭା ରାୟ, ବିଜେପି ନେତା କାଳନ୍ଦୀ ସାମଲ, ସମୀର ମହାନ୍ତି, ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ସ୍ୱର୍ଗତ ପଣ୍ଡାଙ୍କର ଶେଷଦର୍ଶନ କରିଥିଲେ। ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
୧୯୩୨ ନଭେମ୍ବର ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ବଂଶୀଧର ପଣ୍ଡା କେବଳ ଓଡ଼ିଶା ନୁହେଁ, ଭାରତୀୟ ଶିଳ୍ପ ଜଗତରେ ଜଣେ ପରିଚିତ ନାମ ଥିଲେ। ତାଙ୍କୁ ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ କୁହାଯାଉଥିଲା। ଆମେରିକାର ନାସାରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ବଂଶୀଧରଙ୍କୁ ୧୯୬୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଶାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିବା ପରେ ସେ ଅବିଭକ୍ତ କୋରାପୁଟ ଜିଲ୍ଲାରେ (ବର୍ତ୍ତମାନ ରାୟଗଡ଼ା ଜିଲ୍ଲାର ଥେରୁବାଲି) ରାଜ୍ୟର ସର୍ବବୃହତ ଫେରୋ ଆଲଏଜ୍ କାରଖାନା ‘ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ୍’ (ଇମ୍ଫା) ପ୍ରତିଷ୍ଠା କରିଥିଲେ। ଏହାପରେ ଓଡ଼ିଶାରେ ଶିଳ୍ପର ସମୃଦ୍ଧି ହୋଇଥିବା କୁହାଯାଏ। ବଂଶୀଧର କେବଳ ଜଣେ ଶିଳ୍ପପତି ନ ଥିଲେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଉନ୍ନତି ନିମନ୍ତେ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି। ସ୍ୱର୍ଗତ ପଣ୍ଡା ଓ ତାଙ୍କ ପତ୍ନୀ ସ୍ୱର୍ଗତ ଇଲା ପଣ୍ଡାଙ୍କ ଉଦ୍ୟମରେ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ ମାଧ୍ୟମରେ ଗତ ୩୮ବର୍ଷ ହେଲା ସାହିତ୍ୟ କ୍ଷେତ୍ରରେ କୃତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନଜନକ ‘ଶାରଳା ପୁରସ୍କାର’ରେ ସମ୍ମାନିତ କରାଯାଉଛି। ସେହିପରି କ୍ରୀଡ଼ା କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିଥିବା କ୍ରୀଡ଼ାବିତ୍ଙ୍କୁ ଏକଲବ୍ୟ ସମ୍ମାନରେ ସମ୍ମାନିତ କରାଯାଉଛି।
ସ୍ୱର୍ଗତ ପଣ୍ଡା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ମିଚିଗାନ ବିଶ୍ୱବିଦ୍ୟାଳୟ, ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି। ସେ ଉତ୍କଳ ଚାମ୍ବର ଅଫ କମର୍ସର ପୂର୍ବତନ ଅଧ୍ୟକ୍ଷ ଥିଲେ। ରାଉରକେଲା ଏନ୍ଆଇଟିର ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସର ପୂର୍ବତନ ଅଧ୍ୟକ୍ଷ, ଆଇଆଇଟି ଖଡଗପୁରର ପୂର୍ବତନ ପରିଚାଳନା କମିଟିର ସଦସ୍ୟ, ଆଇଆଇଏମ୍ କୋଲକତାର ପରିଚାଳନା କମିଟିର ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ। ସ୍ୱର୍ଗତ ପଣ୍ଡାଙ୍କର ଦୁଇ ପୁଅ ବୈଜୟନ୍ତ ପଣ୍ଡା ଏବଂ ଶୁଭ୍ରକାନ୍ତ ପଣ୍ଡା ଏବଂ ଦୁଇ ଝିଅ ପାରମିତା ଏବଂ ନିବେଦିତା ଗଣପତି ଅଛନ୍ତି।