ଗୋପରେ ପହଞ୍ଚିଲେ କୃଷ୍ଣ

ବରଗଡ଼ ଧନୁଯାତ୍ରା: ରଙ୍ଗମହଲ ଉଦ୍‌ଘାଟିତ

ମଥୁରାନଗରୀ: ମଥୁରା ନଗରୀରେ ମହାରାଜ କଂସଙ୍କ ଆଧିପତ୍ୟ ବଢ଼ି ଚାଲିଛି। କଂସଙ୍କ ନଗର ପରିଭ୍ରମଣ ବେଳେ ଦଣ୍ଡବିଧାନ ଏବଂ ଅଟ୍ଟହାସ୍ୟରେ କମ୍ପିଥିଲା ମଥୁରାନଗରୀ। ନଗର ଭ୍ରମଣ ସମୟରେ ଆଇନ ଭଙ୍ଗକାରୀଙ୍କୁ ଦଣ୍ଡାଦେଶ ସହ ରଂଗମହଲରେ ନୃତ୍ୟଗୀତ ଆସରରେ ମସଗୁଲ ରହିଥିଲେ ମହାରାଜ କଂସ। ହେଲେ ମନରୁ ସେହି ଶୂନ୍ୟବାଣୀର ଶଙ୍କାରେ ଚିନ୍ତିତ ରହିଛନ୍ତି ମହାରାଜ କଂସ। ଆଜି ମହାରାଜ କଂସଙ୍କ ଦରବାରରେ ରାଜ ଅତିଥିଭାବେ ହସ୍ତତନ୍ତ ତଥା ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଂଗିନୀ ଛୁରିଆ ଯୋଗ ଦେଇଥିଲେ। ଏହା ପୂର୍ବରୁ ଉଦ୍‌ଘାଟିତ ହୋଇଥିଲା ରଂଗମହଲ। ଏଥିରେ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ, ରଂଗମହଲ ଆୟୋଜକ କମିଟି ଆବାହକ ସର୍ବେଶ୍ୱର ରଥ, ଧନୁଯାତ୍ରା ଆୟୋଜନ ସମିତିର ଆବାହକ ସୁରେଶ୍ୱର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ନାଟ୍ୟାଭିନୟ। ରଂଗମହଲରେ ଅନୁଷ୍ଠିତ ନୃତ୍ୟଗୀତରେ ମସଗୁଲ ହୋଇଥିଲେ ମହାରାଜ କଂସ ତଥାପି ମନରେ ବାରମ୍ବାର ଆନ୍ଦୋଳିତ ହେଉଥାଏ ସେହି ଦୈବୀବାଣୀ। ମନରେ ବାରମ୍ବାର ମୃତ୍ୟୁର ଭୟ ଏବଂ ପୁଣି ନିଜ ଭିତରର ଥିବା ପୌରୁଷତ୍ଵକୁ ହୁଙ୍କାରିବା ପାଇଁ ସେ ମହାଦେବଙ୍କ ଆରାଧନା କରିଛନ୍ତି। ଏହା ପରେ ରାଜଦରବାରରେ ଜଣକ ପରେ ଜଣେ ସୈନ୍ୟ ସେନାପତି ନିଜର ପରାକ୍ରମ ସମ୍ପର୍କରେ ନିଜ ମୁଖରେ କହି କଂସଙ୍କୁ ନିଶ୍ଚିନ୍ତ ରହିବାକୁ କହିଛନ୍ତି। ମହାରାଜ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରି ପୁଣି ଚିତ୍ତବିନୋଦନରେ ମଜ୍ଜି ଯାଇଛନ୍ତି।

ଇତିମଧ୍ୟରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇଛନ୍ତି ଶ୍ରୀକୃଷ୍ଣ। ନବଜାତ ଶିଶୁକୁ ନେଇ ବସୁଦେବ ଟୋକେଇରେ ମୁଣ୍ଡେଇ ଗଲେ ଗୋପପୁରକୁ। ହେଲେ ବାଟରେ ରାଜ୍ୟର ସୀମାନ୍ତରେ ପହରା ଦେଉଥିବା ଶ୍ୱଶୁର ଉଗ୍ରସେନଙ୍କ ତାଙ୍କ ବାଟ ଓଗାଳି ଛନ୍ତି। କୃଷ୍ଣଙ୍କ ବିଶ୍ୱରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି ବାପା ବସୁଦେବ ଓ ଅଜା ଉଗ୍ରସେନ। ଗୋପପୁର ଯିବା ବାଟରେ କୃଷ୍ଣଙ୍କ ମାୟାରେ ପ୍ରବଳ ବର୍ଷାରେ ଫଳରେ ପୂର୍ଣ୍ଣଗର୍ଭା ଯମୁନା ନଦୀରେ ପୂରିଯାଇଥିଲା। ହେଲେ କୃଷ୍ଣଙ୍କ ମାୟାରେ ଯମୁନା ନଈ ଦୁଇ ଭାଗ ହୋଇଥିଲା। ବର୍ଷାରୁ ସୁରକ୍ଷା ଦେବାକୁ କୃଷ୍ଣଙ୍କ ମୁଣ୍ଡ ଉପରେ ବାସୁକୀ ନାଗ ଫେଣା ମେଲିଥିଲା। କୃଷ୍ଣଙ୍କୁ ଗୋପପୁରର ନନ୍ଦରାଜାଙ୍କ ଘରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ବସୁଦେବ ପୁଣି ଫେରିଆସିଲେ ମଥୁରାର ବନ୍ଦୀଶାଳାକୁ। ସେହିପରି ଗୋପପୁରରେ ସନ୍ଧ୍ୟା ଆଳତି, ଶ୍ରୀକୃଷ୍ଣଙ୍କୁ ଧରି ଗୋପପୁର ପ୍ରବେଶ, ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ରଖି ବିଜୁଳି କନ୍ୟା ସହ ମଥୁରା କାରଗାର ଅଭିମୁଖେ ପ୍ରତ୍ୟାବର୍ତ୍ତନ ଦୃଶ୍ୟ ଅଭିନୀତ ହୋଇଥିଲା।

ସମ୍ବନ୍ଧିତ ଖବର