ସୁଧୁରିଲାନି ଛତିଶଗଡ଼: ପୁଣି ଲୋକଙ୍କୁ ଛାଡ଼ି ପଳାଇଲା

ବରଗଡ଼/ଅମ୍ବାଭୋନା : କରୋନା ମୁକାବିଲା ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ୍‌ ସୀମାନ୍ତବର୍ତ୍ତୀ ପ୍ରବେଶ ପଥ ସିଲ୍‌ କରାଯାଇଛି। ପୁଲିସ୍‌ ମୁତୟନ ଅଛନ୍ତି। କିନ୍ତୁ ଛତିଶଗଡ଼ ସରିଆ ପଟରୁ ପ୍ରତିଦିନ ସେଠାକାର ପ୍ରଶାସନ ଲୋକଙ୍କୁ ସୀମାନ୍ତବର୍ତ୍ତୀ କଞ୍ଚନପୁର ଚେକଗେଟ୍ ନିକଟରେ ଛାଡ଼ି ଦେଇ ଚମ୍ପଟ ମାରୁଛି। କିଛି ଦିନ ତଳେ ସୋହେଲା ସୀମାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ବିଧିବଦ୍ଧ ପ୍ରକ୍ରିୟାରେ ଲୋକଙ୍କୁ ସୀମା ପାର୍‌ କରାଇବା ଏବଂ ସେମାନଙ୍କ ଟିକିନିଖି ବିବରଣୀ ଦେବା ଗାଇଡ୍‌ଲାଇନ୍‌ ରହିଛି। କିନ୍ତୁ ଏହାକୁ ଛତିଶଗଡ଼ ଖାତିର କରୁନାହିଁ। ବରଂ ପଡ଼ୋଶୀ ରାଜ୍ୟକୁ ସହାୟତା କରିବା ବଦଳରେ ମୁଣ୍ଡ ବିନ୍ଧା ବଢ଼‌ାଉଛି। ଛତିଶଗଡ଼ର ଏଭଳି କାରନାମା ଏବେ ଅମ୍ବାଭୋନା ବ୍ଲକ୍‌ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ସୋମବାର  ଅମ୍ବାଭୋନା ବ୍ଳକ୍‌ ସୀମାନ୍ତବର୍ତ୍ତୀ ରୁଚିଦା ଚେକଗେଟ୍ ପାଖରେ ଛତିଶଗଡ଼ ପ୍ରଶାସନ ୫ଜଣଙ୍କୁ ଗାଡ଼ି ବସାଇ ଆଣି ସୀମାନ୍ତବର୍ତ୍ତୀ କଞ୍ଚନପୁର ଚେକଗେଟ୍ ପାଖରେ ଛାଡ଼ି ପଳାଇଥିଲା। ଲୋକ ଚାଲି ଚାଲି ସୀମା ପାର୍‌ କରୁଥିବାବେଳେ ରୁଚିଦା ଚେକଗେଟ୍‌ଠାରେ ପୁଲିସ୍ କର୍ମଚାରୀ ଅଟକାଇ  ଅମ୍ବାଭୋନା ଥାନାକୁ ଖବର ଦେଇଥିଲେ। ସ୍ଥାନୀୟ ବ୍ଲକ୍‌ ପ୍ରଶାସନ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ରୁଚିଦା ସ୍ଥିତ ଅସ୍ଥାୟୀ ଶିବିରରେ ଖାଇବାକୁ ଦେଇ ବରଗଡ଼ ପଠାଇଥିଲେ। ସଂପୃକ୍ତ ୫ଜଣଙ୍କ ମଧ୍ୟରୁ ଦୁଇ ଜଣ ସ୍ବାମୀ-ସ୍ତ୍ରୀ ବିଲାସପୁରରୁ ବଲାଙ୍ଗୀର ଯାଉଥିବା ବେଳେ ଅନ୍ୟ ତିନି ଜଣ ଛତିଶଗଡ଼ ଜାଞ୍ଜିର ଜିଲ୍ଲାରୁ ପଶ୍ଚିମବଙ୍ଗ ଯାଉଥିଲେ।

ସମ୍ବନ୍ଧିତ ଖବର