ଡରଉଛି କରୋନା: ଦିନତମାମ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିରହିଲା ପ୍ରବାସୀ ଶ୍ରମିକଙ୍କ ଶବ

ବରଗଡ଼ : ବରଗଡ଼ ଜିଲ୍ଲାରେ ଦୁଇଜଣ କରୋନା ରୋଗୀ ଚିହ୍ନଟ ହେବା ପରେ କୋକୁଆଭୟ ସୃଷ୍ଟି ହୋଇଛି। ସ୍ଥିତି ଏଭଳି ଯେ କୌଣସି ଲୋକର ଭିନ୍ନ କାରଣରୁ ମୃତ୍ୟୁ ଘଟିଲେ ବି ଡାକ୍ତରଖାନା କର୍ମଚାରୀ ଛୁଇଁବାକୁ ନାରାଜ। ବ୍ୟବଚ୍ଛେଦ ପାଇଁ ଆସୁଥିବା ଶବ ଖୋଲା ଆକାଶ ତଳେ ଦିନତମାମ ପଡ଼ି ରହୁଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଗୁରୁବାର ଦେଖିବାକୁ ମିଳିଛି।

ମୃତ ବ୍ୟକ୍ତି ଜଣକ ହେଲେ ନୁରୁଲ ଇସଲାମ ମହିମ (୫୩)। ଘର ପଶ୍ଚିମବଂଗର ମାଲଦାରେ। ବୁଧବାର ରାତି ସାଢ଼େ ୯ଟା ବେଳେ ସେ ସୀମାନ୍ତ ଲୁହୁରାଚଟିଠାରେ ସାଥୀ ଶ୍ରମିକଙ୍କ ସହ ନିଜ ରାଜ୍ୟକୁ ଯିବା ପାଇଁ ଅପେକ୍ଷା କରିଥିଲେ। ‌ତେବେ ସେଠାରେ ସେ ଅସୁସ୍ଥ ହୋଇ ଚେତା ହରାଇଥିଲେ। ତାଙ୍କୁ ସ୍ଥାନୀୟ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ଆଉ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାତିରେ ଶବ ସେଠାରେ ରହିଥିଲା। କିନ୍ତୁ ସକାଳୁ ଶବକୁ ଡାକ୍ତରଖାନାର କୌଣସି କର୍ମଚାରୀ ହାତ ମାରିନଥିଲେ। କରୋନା ଭୟରେ ଶବକୁ ଗାଡ଼ିରେ ରଖିବା ପାଇଁ ମଧ୍ୟ ନାରାଜ ହୋଇଥିଲେ। ସୁଇପର୍‌ମାନଙ୍କୁ ପାରିଶ୍ରମିକ ବାବଦକୁ ୨ହଜାର ଟଙ୍କା ଦିଆଯିବ ବୋଲି କହିବା ପରେ ବି ସେମାନେ ଶବ ଉଠାଇବାକୁ ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା। ଶେଷରେ ସମାଜସେବୀ ବିକାଶ ଅଗ୍ରୱାଲ ଏବଂ ଜି. ରମେଶ ପିପିଟି କିଟ୍‌ ପିନ୍ଧି ଶବକୁ ଶବବାହକ ଗାଡ଼ିରେ ଲଦି ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ପରେ ରଖାଯାଇଛି।

ସମ୍ବନ୍ଧିତ ଖବର