ବରଗଡ଼ ଧନୁଯାତ୍ରା : ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତି

ମଥୁରାନଗରୀ : ଧନୁଯାତ୍ରା ମହୋତ୍ସବର ସପ୍ତମ ଦିବସର ନାଟ୍ୟାଭିନୟକ୍ରମରେ ଧନୁଯାତ୍ରାକୁ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ କଂସଙ୍କ ଚିଟାଉ ପ୍ରସ୍ତୁତି ଓ ଅକ୍ରୂରଙ୍କ ସହ ଆଲୋଚନା, ଗୋପୀଙ୍କ ଦଧିବିକା ଓ ରାଧା-କୃଷ୍ଣଙ୍କ ନାବକେଳି ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ପୂର୍ବରୁ ବିଭିନ୍ନ ରାଜ୍ୟରୁ ଆସିଥିବା ରାଜନ୍ୟବର୍ଗଙ୍କ ଉପସ୍ଥିତିରେ ହୋଇଥିବା ରଙ୍ଗସଭାର ନିଷ୍ପତ୍ତି ଅନୁସାରେ ମହାରାଜ କଂସ ଧନୁଯାତ୍ରାର ଆୟୋଜନ କରିବାକୁ ସ୍ଥିର କରିଛନ୍ତି। ଏଥିପାଇଁ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ କରିବା ପାଇଁ ଚିଟାଉ ପ୍ରସ୍ତୁତ କରାଯାଇଛି । ଉଭୟ ବେନିଭାଇଙ୍କୁ ଗୋପପୁରରୁ ମଥୁରାକୁ ଆଣିବା ପାଇଁ ଆପଣଙ୍କ ପାଖରେ ଜଣେ ଯୋଗ୍ୟ ବ୍ୟକ୍ତି ଅଛନ୍ତି ବୋଲି ନାରଦଙ୍କ କହିଥିଲେ। ସେହି ଅନୁସାରେ ମହାରାଜ ମହାମନ୍ତ୍ରୀଙ୍କୁ ସେହି ଯୋଗ୍ୟ ବ୍ୟକ୍ତିଙ୍କ ସଂପର୍କରେ ପଚାରିବା ପରେ ମହାମନ୍ତ୍ରୀ ଅକ୍ରୂରଙ୍କ ସଂପର୍କରେ ଜଣାଇଛନ୍ତି। ଏହାପରେ ଅକ୍ରୂରଙ୍କ ସହ ମହାରାଜ କଂସ ଆଲୋଚନା କରିଛନ୍ତି। କୃଷ୍ଣ-ବଳରାମଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଯଦିଓ କଂସ ଏହି ଧନୁଯାତ୍ରାର ଆୟୋଜନ କରିଛନ୍ତି ଉଭୟ ଅଲୌକିକ ଶକ୍ତିସଂପନ୍ନ ଶିଶୁ ଭଗବାନ କୃଷ୍ଣ-ବଳରାମଙ୍କୁ ଦର୍ଶନ କରିବା ମଧ୍ୟ ଯାତ୍ରା ଆୟୋଜନର ଅନ୍ୟତମ କାରଣ। ଆଜି ମହାରାଜ କଂସାସୁର ଦିଗ୍‌ବିଜୟରେ ବାହାରିବା ସହ ନଗର ପରିକ୍ରମା କରି ପାତ୍ରମନ୍ତ୍ରୀଙ୍କ ସହ ରଂଗମହଲକୁ ପହଂଚିଥିଲେ। ରାଜ ନର୍ତ୍ତକୀଙ୍କ ନୃତ୍ୟରେ ମହାରାଜ ପ୍ରୀତ ହୋଇ ମସଗୁଲ ହୋଇଯାଇଛନ୍ତି। ତଥାପି ବେଳେ ବେଳେ ଦୈବବାଣୀ ଏବଂ ଗୋପପୁରରେ ରାକ୍ଷସ ରାକ୍ଷସୀଙ୍କ ନିଧନ ଖବର ବାରମ୍ବାର ତାଙ୍କ ମନକୁ ଆନ୍ଦୋଳିତ କରୁଛି। ମହାମନ୍ତ୍ରୀ ମଧ୍ୟ ସେ ସବୁ ଘଟଣା ମହାରାଜଙ୍କୁ ବାରମ୍ବାର ମନେପକାଇ ଦେଉଛନ୍ତି। ମହାରାଜ କଂସଙ୍କ ରଂଗମହଲ ଓ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉପଭୋଗ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର