ବିଶ୍ବପ୍ରସିଦ୍ଧ ଧନୁଯାତ୍ରା : କୃଷ୍ଣଙ୍କ ଲୀଳାଖେଳା ଆରମ୍ଭ

ମଥୁରାନଗରୀ : ମଥୁରାଜନଗରୀରେ ମହାରାଜ କ˚ସଙ୍କ ଆଧିପତ୍ୟ ବଢ଼ି ଚାଲିଛି। କ˚ସଙ୍କ ନଗର ପରିଭ୍ରମଣ ବେଳେ ଦଣ୍ତବିଧାନ ଏବ˚ ଅଟ୍ଟହାସ୍ୟରେ କମ୍ପିଥିଲା ମଥୁରାନଗରୀ। ଅନ୍ୟପଟେ ଶ୍ରୀକୃଷ୍ଣ ଜନ୍ମ, ନବଜାତ କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ବସୁଦେବ ଓ ଉଗ୍ରସେନଙ୍କ ଭେଟ, ବିଶ୍ବରୂପ ଦର୍ଶନ, ଗୋପରେ ନନ୍ଦରାଜାଙ୍କ ଘରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ସାଥୀରେ ନେଇ ବସୁଦେବଙ୍କ ମଥୁରା କାରାଗାରକୁ ପ୍ରତ୍ୟାବର୍ତ୍ତନ ଥିଲା ଦ୍ବିତୀୟ ଦିବସର ଘଟଣାବଳୀ। ନଗର ଭ୍ରମଣ ସମୟରେ ଆଇନ ଭଙ୍ଗକାରୀଙ୍କୁ ଦଣ୍ତାଦେଶ ସହ ର˚ଗମହଲରେ ନୃତ୍ୟଗୀତ ଆସରରେ ମସଗୁଲ ରହିଥିଲେ ମହାରାଜ କ˚ସ। ହେଲେ ମନରୁ ସେହି ଶୂନ୍ୟବାଣୀର ଶଙ୍କାରେ ଚିନ୍ତିତ ରହିଛନ୍ତି ମହାରାଜ କ˚ସ।

ଆଜି ମହାରାଜ କ˚ସଙ୍କ ଦରବାରରେ ରାଜଅତିଥି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ଏହା ପୂର୍ବରୁ ହାଇକୋର୍ଟ ବିଚାରପତି ଡ. ଏକେ ରଥ ରଂଗ ମହଲ ଉଦ୍‌ଘାଟନ କରିଥିଲେ। ଏଥିରେ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଏସ୍‌ପି ମୁକେଶ ଭାମୁ, ର˚ଗମହଲ ଆୟୋଜକ କମିଟି ଆବାହକ ସର୍ବେଶ୍ବର ରଥ, ଧନୁଯାତ୍ରା ଆୟୋଜନ ସମିତିର ଆବାହକ ସୁରେଶ୍ବର ଶତପଥୀ, ର˚ଗମହଲ ସହଆବାହକ ଶ୍ୟାମସୁନ୍ଦର ଅଦାବର, କିଶୋର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ନାଟ୍ୟାଭିନୟ। ରାଜଦରବାରରେ ଜଣକ ପରେ ଜଣେ ସୈନ୍ୟ ସେନାପତି ନିଜର ପରାକ୍ରମ ସମ୍ପର୍କରେ ନିଜ ମୁଖରେ କହି କ˚ସଙ୍କୁ ନିଶ୍ଚିନ୍ତ ରହିବାକୁ କହିଛନ୍ତି। ମହାରାଜ ସାମାନ୍ୟ ଆଶ୍ବସ୍ତି ଅନୁଭବ କରି ପୁଣି ଚିତ୍ତବିନୋଦନରେ ମଜ୍ଜି ଯାଇଛନ୍ତି।

ଇତିମଧୢରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇଛନ୍ତି ଶ୍ରୀକୃଷ୍ଣ। ଆଲୋକରେ ଝଲସି ଉଠିଛି ଅନ୍ଧକାର ରାତି। ଉଜ୍ଜ୍ବଳ ହୋଇ ଉଠିଛି କାରାଗାର। ଅପଣା ଛାଏଁ ଖୋଲି ଯାଇଛି କାରାଗାରର ଫାଟକ। ଫିଟିଯାଇଛି ଦେବକୀ ଓ ବସୁଦେବଙ୍କ ଶରୀରରେ ଲାଗିଥିବା ଶିକୁଳି। ନବଜାତ ଶିଶୁକୁ ନେଇ ବସୁଦେବ ଟୋକେଇରେ ମୁଣ୍ତେଇ ଗଲେ ଗୋପପୁରକୁ। ହେଲେ ବାଟରେ ରାଜ୍ୟର ସୀମାନ୍ତରେ ପହରା ଦେଉଥିବା ଶ୍ବଶୁର ଉଗ୍ରସେନଙ୍କ ତାଙ୍କ ବାଟ ଓଗାଳିଛନ୍ତି। ଏହି ସମୟରେ ଘଟିଛି ଏକ ଅଲୌକିକ ଘଟଣା। କୃଷ୍ଣଙ୍କ ବିଶ୍ବରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି ବାପା ବସୁଦେବ ଓ ଅଜା ଉଗ୍ରସେନ। ଗୋପପୁର ଯିବା ବାଟରେ କୃଷ୍ଣଙ୍କ ମାୟାରେ ପ୍ରବଳ ବର୍ଷାରେ ଫଳରେ ପୂର୍ଣ୍ଣଗର୍ଭା ଯମୁନା ନଦୀରେ ପୂରିଯାଇଥିଲା। ହେଲେ କୃଷ୍ଣଙ୍କ ମାୟାରେ ଯମୁନା ନଈ ଦୁଇ ଭାଗ ହୋଇଥିଲା। ବର୍ଷାରୁ ସୁରକ୍ଷା ଦେବାକୁ କୃଷ୍ଣଙ୍କ ମୁଣ୍ତ ଉପରେ ବାସୁକୀ ନାଗ ଫେଣା ମେଲିଥିଲା। କୃଷ୍ଣଙ୍କୁ ଗୋପପୁରର ନନ୍ଦରାଜାଙ୍କ ଘରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ବସୁଦେବ ପୁଣି ଫେରିଆସିଲେ ମଥୁରାର ବନ୍ଦୀଶାଳାକୁ। ସେହିପରି ଗୋପପୁରରେ ସନ୍ଧ୍ୟା ଆଳତି, ଶ୍ରୀକୃଷ୍ଣଙ୍କୁ ଧରି ଗୋପପୁର ପ୍ରବେଶ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର