ଫେରିବେ ଜିଲ୍ଲାପାଳ ଓ ଏସ୍‌ପି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଶେଷ ପରେ ବରଗଡ଼ ଜିଲ୍ଲାପାଳ ଯାମିନୀ ଷ଼ଡ଼ଙ୍ଗୀ ଓ ଏସ୍‌ପି ଜୟ ନାରାୟଣ ପଙ୍କଜଙ୍କୁ ପୁଣି ଥରେ ତାଙ୍କ ପୁରୁଣା ଜିଲ୍ଲା ଅର୍ଥାତ୍‌ ଜଗତସିଂହପୁରକୁ ଫେରାଇ ଅଣାଯିବ। ରାଜ୍ୟ ସରକାର ଏ ନେଇ ମନସ୍ଥିର କରିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ବରଗଡରେ ନୂଆ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିଯୁକ୍ତି ଦିଆଯିବା ବଦଳରେ ପୂର୍ବତନ ଜିଲ୍ଲାପାଳ ଖଗେନ୍ଦ୍ର କୁମାର ପାଢୀ ଓ ଏସ୍‌ପି ଯୁଗଳ କିଶୋର କୁମାର ବାନୋଥ୍‌ଙ୍କୁ ପୁଣି ସେହି ଜିଲ୍ଲାରେ ଅବସ୍ଥାପିତ କରାଯିବ।

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଖାସ୍‌ ଏଇଥିପାଇଁ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍‌ପି ପଦରେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ପୂର୍ବରୁ ମଧ୍ୟ ଖୋର୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁଙ୍କ କ୍ଷେତ୍ରରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। ତାଙ୍କୁ ଆୟୋଗଙ୍କ ନିର୍ଦେଶ ଅନୁସାରେ ଫେରାଇ ଅଣାଯାଇଥିଲେ ହେଁ ନିର୍ବାଚନ ପରେ ପୁଣି ସଂପୃକ୍ତ ଜିଲ୍ଲାରେ ନିଯୁକ୍ତି ମିଳିଥିଲା।

ଏଠାରେ ଉଲ୍ଲେଖଥାଉକି, ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିରପେକ୍ଷତା ଉପରେ ସନ୍ଦେହ ପ୍ରକଟ କରି ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ବଦଳାଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି ରଖିଥିଲା। ଆୟୋଗ ବିଜେପିର ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲେ। ଉଭୟ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳାଇବାକୁ ନିର୍ଦେଶ ଦିଆଯାଇଥିଲା। ଏହି କ୍ରମରେ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କର ବରଗଡ ବଦଳି ହୋଇଥିଲା। ବରଗଡ଼ ପୂର୍ବତନ ଜିଲ୍ଲାପାଳ ଶ୍ରୀ ପାଢୀ ଆସନ୍ତା ଏପ୍ରିଲ ମାସରେ ଅବସର ନେବେ।

ସମ୍ବନ୍ଧିତ ଖବର