ବହୁ ଚର୍ଚ୍ଚିତ ଜୀବିତ ଲିଲି ନାଏକ ମାମଲାରେ ୩ ଜଣଙ୍କୁ ୫୦ ହଜାର ଲେଖାଏଁ କ୍ଷତିପୂରଣ ପ୍ରଦାନ

ବାରିପଦା : ଜୀବନ ଧରି ବଞ୍ଚିଥିବା ବହୁ ଚର୍ଚ୍ଚିତ ଲିଲି ନାଏକକୁ ପୁଲିସ ପକ୍ଷରୁ ମୃତ ଘୋଷଣା କରିବା ଘଟଣାରେ ଆଜି ଲିଲି ନାଏକଙ୍କ ସମେତ ୩ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ରାଶି ମିଳିଛି। ସୂଚନାଯୋଗ୍ୟ, ଏହି ମାମଲାରେ ଆଇନଜୀବୀ ସୁଶୀଲ କୁମାର ପାତ୍ର ଏବଂ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଶେଷରେ ଜାତୀୟ ମାନବାଧିକାର କମିଶନ ତିନି ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସ୍ୱାମୀ ଶୁକଦେବ ନାଏକ, ଲିଲି ନାଏକ ଏବଂ ତାଙ୍କ ଭାଇ ସୁଦାମ ସିଙ୍କୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ମାଧ୍ୟମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭୁବନାନନ୍ଦ ଜେନା ୫୦ ହଜାର ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରିଛନ୍ତି। ଉକ୍ତ ଚେକ୍‌ ପ୍ରଦାନ ସମୟରେ ଆଇନଜୀବୀ ତଥା ମାନବାଧିକାର କର୍ମୀ ସୁଶୀଲ କୁମାର ପାତ୍ର, ବର୍ତ୍ତମାନର ମୋରଡ଼ା ଥାନା ଅଧିକାରୀ ପ୍ରଦୀପ କୁମାର ମାଝୀ ଏବଂ ଅନ୍ୟ ପୁଲିସ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଘଟଣାରୁ ପ୍ରକାଶ, ଗତ ୨୦୧୨ ମସିହା ମେ ମାସ ୧୭ ତାରିଖରେ ମୋରଡ଼ା ଥାନା ଅନ୍ତର୍ଗତ ଧଡ଼ାସାହି ଗ୍ରାମର ଶୁକଦେବ ନାଏକ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଲିଲି ନାଏକଙ୍କୁ ଅନ୍ୟ ଜଣେ ଯୁବକ ଅପହରଣ କରିନେଇଯାଇଛି ବୋଲି ଥାନାରେ ଏତଲା ଦେଇଥିଲେ। ସେତେବେଳେ ଲିଲି ନାଏକ ନିଜର ୨ ଝିଅଙ୍କୁ ସ୍ୱାମୀ ଶୁକଦେବଙ୍କ ନିକଟରେ ଛାଡ଼ି ଶୁଳିଆପଦା ଥାନା ଡୁଙ୍ଗୁରୀ ଗାଁର ଜଣେ ଯୁବକ ସଜନୀ ଧଳଙ୍କ ସାଥୀରେ କେଉଁଆଡେ ଚାଲିଯାଇଥିଲେ। ଏହାର ଠିକ୍‌ ୬ ଦିନ ପରେ ଅର୍ଥାତ୍‌ ମେ ମାସ ୨୩ ତାରିଖରେ ଧଡ଼ାସାହି ଗାଁ ମଝିରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଅଜଣା ମହିଳାଙ୍କ ଗଳିତ ଶବ ମିଳିଲା। ସ୍ଥାନୀୟ ଗ୍ରାମରକ୍ଷୀ ଦଶରଥ ହେମ୍ବ୍ରମ୍‌ ଏହି ଗଳିତ ଶବ ସମ୍ପର୍କରେ ମୋରଡ଼ା ଥାନାରେ ଜଣାଇବା ପରେ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ କରିଥିଲା। ପରେ ଏହା ଲିଲି ନାଏକର ଶବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର