ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ବସନ୍ତ ପାଣିଗ୍ରାହୀଙ୍କ ପରଲୋକ

0 27

ବ୍ରହ୍ମପୁର: ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ବସନ୍ତ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। କଟକର ଏକ ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ ଘରେ ପଡ଼ିଯିବା ଫଳରେ ତାଙ୍କ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିଲା। ଆଜି ତାଙ୍କୁ ଅପରେସନ ପାଇଁ କଟକସ୍ଥିତ ଏକ ନର୍ସିଂହୋମ୍‌ରେ ଭର୍ତି କରାଯାଇଥିଲା। କିନ୍ତୁ, କ୍ରମଶଃ ତାଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିବା ସହ ସେ କୋମାକୁ ଚାଲି ଯାଇଥିଲେ ଏବଂ ସଂଜ୍ଞାହୀନ ଅବସ୍ଥାରେ ହିଁ ଆଜି ରାତି ୮ଟା ବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଆସନ୍ତାକାଲି ସକାଳେ ବ୍ରହ୍ମପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ୧୯୩୧ରେ ନରସିଂହ ପାଣିଗ୍ରାହୀଙ୍କ କୋଳମଣ୍ଡନ କରି ଜନ୍ମଗ୍ରହଣ କରିଥିବା ବସନ୍ତ ବାବୁ ଖଲିକୋଟ କଲେଜ ଏବଂ ପରବର୍ତ୍ତୀ ସମୟରେ ମଧୁସୂଦନ ଲ’ କଲେଜରେ ପାଠ ପଢ଼ି ଜଣେ ଆଇନଜୀବୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଓଡ଼ିଆ ଭାଷା ଆନ୍ଦୋଳନ ସହ ନିଜକୁ ଜଡ଼ିତ କରିବା ସହିତ ଓଡ଼ିଶାର ସୀମାନ୍ତ ସୁରକ୍ଷା ଆନ୍ଦୋଳନ ସହ ସେ ସମ୍ପୂର୍ଣ୍ଣ ଭାବେ ନିଜକୁ ଉତ୍ସର୍ଗ କରିଥିଲେ। ଦୀର୍ଘ ୪୦ ବର୍ଷ ଧରି ସେ ଉତ୍କଳ ସମ୍ମିଳନୀର ମହାସଚିବ ଏବଂ ସଭାପତି ପଦବି ଅଳଂକୃତ କରି ଓଡ଼ିଆଙ୍କ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱଦରବାରରେ ପରିଚିତ କରାଇବାରେ ସଫଳକାମ ହୋଇଥିଲେ। ବହୁ ବର୍ଷ ଧରି ସେ ବ୍ରହ୍ମପୁର ମ୍ୟୁନିସିପାଲଟିର ଚେୟାରମ୍ୟାନ, ଖଲିକୋଟ କଲେଜ ଗଭର୍ଣ୍ଣିଂ ବଡିର ପ୍ରେସିଡେଣ୍ଟ, ଲିଙ୍ଗରାଜ ଲ କଲେଜର ପ୍ରିନସିପାଲ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିନେଟ୍‌ ସଦସ୍ୟ, ଲାୟନ୍ସ କ୍ଲବର ଗଭର୍ଣ୍ଣର, ଉତ୍କଳ ଆଶ୍ରମ ଟ୍ରଷ୍ଟର ସମ୍ପାଦକ, ଗଞ୍ଜାମ ବାର ଆସୋସିଏସନର ସଭାପତି, ଗଞ୍ଜାମ କଳା ପରିଷଦର ସଭାପତି, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି, ଗ୍ରାମ ବିକାଶର ଅଧ୍ୟକ୍ଷ ଭାବେ ପଦପଦବି ମଣ୍ଡନ କରି ସୂଚାରୁରୂପେ ଦାୟିତ୍ୱ ସମ୍ପାଦନ କରିଥିଲେ। ଜଣେ ଗୀତିକାର ଓ ନାଟ୍ୟକାର ଭାବେ ସେ ଆକାଶବାଣୀ କଟକ ଓ ଦୂରଦର୍ଶନ ସହ ଜଡ଼ିତ ଥିବା ବେଳେ ଅଗ୍ନପରୀକ୍ଷା ସମେତ ଅନେକ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବେ ଆତ୍ମପ୍ରକାଶ ଲଭିଥିଲେ। ତାଙ୍କ ନେତୃତ୍ୱରେ ଗଞ୍ଜାମ କଳା ପରିଷଦ ଓଡ଼ିଶାର ନାଟ୍ୟ ଜଗତରେ ଚହଳ ସୃଷ୍ଟି କରିବାରେ ସଫଳ ହୋଇଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.