କେହି କାହା ପୂଜାରେ ହସ୍ତକ୍ଷେପ କରିବେନି: ଦେବୋତ୍ତର କମିସନ୍‌

ପୁରୀ ବାଉଳି ମଠରେ ପୂଜା ପ୍ରସଙ୍ଗ

ଭୁବନେଶ୍ୱର : ପୁରୀର ବହୁ ଚର୍ଚିତ ବାଉଳି ମଠରେ ଦୁଇ ସମ୍ପ୍ରଦାୟର ମନ୍ଦିରରେ ପୂଜାକୁ ନେଇ ଉଠିଥିବା ବିବାଦ ଉପରେ ରାଜ୍ୟ ଦେବୋତ୍ତର କମିସନର୍‌ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମଠରେ ଶିଖ୍‌ ଓ ହିନ୍ଦୁ ଧର୍ମର ଠାକୁର ପୂଜା ପାଉଥିବା ବେଳେ କେହି କାହା ପୂଜାବିଧିରେ ବାଧା ନ ଦେବାକୁ ରାୟରେ ଉଲ୍ଲେଖ ରହିଛି। ଏହି ରାୟ ପରେ ମଠରେ ବାତାବରଣ ଶାନ୍ତ ରହିବ ବୋଲି ଆଶା କରାଯାଉଛି।

ପୁରୀ ବାଲିସାହି ମୌଜା ୟୁନିଟ ୧୨ର ୦.୪୫୪ ଏକର ଜାଗାରେ ରହିଥିବା ଏହି ବାଉଳି ମଠ କିଛି ଦିନ ହେବ ବେଶ ଚର୍ଚାରେ ରହିଛି। ଏହା ଭିତରେ ଉଦାସୀନ ସମ୍ପ୍ରଦାୟର ଗୁରୁ ଗ୍ରନ୍ଥ ସାହେବଙ୍କ ମନ୍ଦିର ରହିଥିବା ବେଳେ ହିନ୍ଦୁ ଧର୍ମର ମନ୍ଦିରରେ ଜଗନ୍ନାଥଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଐତିହାସିକ ଦେଢ଼ଶୁର ଭାଇବୋହୂ କୂଅ ମଧ୍ୟ ଏଥିରେ ରହିଛି। ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ଗତ ନଭେମ୍ବର ୨୨ ତାରିଖରେ ଏହି ପୁରୁଣା ମଠରେ ଥିବା ଲଜିଂ ଓ ୧୪ ଦୋକାନକୁ ଶ୍ରୀମନ୍ଦିର ପ୍ରଶାସନ ସିଲ୍‌ କରିଛି। ଏହା ପରେ ସମ୍ପୃକ୍ତ ଜମିକୁ ୟୁନିଫର୍ମ ପଲିସି ଜରିଆରେ ମଠ ନାମରେ କରିଦେବା ପାଇଁ ମହନ୍ତ ତଥା ଟ୍ରଷ୍ଟି ସତ୍ୟ ନାରାୟଣ ଦାସ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ମହନ୍ତଙ୍କ ଆବେଦନକୁ ବିଚାର କରି ଏହା ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି। କିନ୍ତୁ ଏହା ଭିତରେ ଥିବା ଦୁଇ ସମ୍ପ୍ରଦାୟର ମନ୍ଦିରକୁ ନେଇ ବିବାଦ ଦେଖା ଦେଇଥିଲା। ପୂଜା କରିବା ପାଇଁ ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବାରୁ ବିବାଦ ଉଗ୍ରରୂପ ନେଇଥିଲା। ଉଭୟ ପକ୍ଷ ଦେବୋତ୍ତର ଆୟୁକ୍ତଙ୍କ ଦ୍ୱାରସ୍ଥ ହେବା ପରେ ଆଜି ଏହି ରାୟ ପ୍ରକାଶ ପାଇଛି। ସ୍ଥିତାବସ୍ଥା ଜାରି ଥିବା ବେଳେ ଉପଜିଲ୍ଲାପାଳଙ୍କ ଆଦେଶରେ ଲଜିଂ ଓ ଅନ୍ୟାନ୍ୟ ସମ୍ପତ୍ତିର ଆକଳନ କରିବାକୁ ଯାଇ ତହସିଲଦାର ହଟହଟା ହୋଇଥିବା ଉଦାହରଣ ରହିଛି।

ସମ୍ବନ୍ଧିତ ଖବର