କୃଷି ପୁରସ୍କାର ନେଇ ପ୍ରଶ୍ନ ଉଠାଇଲେ ବୈଜୟନ୍ତ

କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କୁ ଭିନ୍ନ ଢଙ୍ଗରେ ସମାଲୋଚନା କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। କୃଷକମାନଙ୍କ ସମସ୍ୟା ସମ୍ପର୍କରେ କହିବାକୁ ଯାଇ ସେ ପରୋକ୍ଷରେ କୃଷି କର୍ମଣ ପୁରସ୍କାରକୁ ନେଇ ଆପତ୍ତି ଉଠାଇଛନ୍ତି। ଏହି ପୁରସ୍କାର ପାଇଥିଲେ ମଧ୍ୟ କୃଷି ବିକାଶ କ୍ଷେତ୍ରରେ ରାଜ୍ୟ ଢେର୍‌ ପଛରେ ଥିବା କହିଛନ୍ତି। ଯାହାକୁ ନେଇ ଆଜି ଚର୍ଚ୍ଚା ଜୋର୍‌ ଧରିଛି। ଆଜି ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ବିଶ୍ୱ ମୃତ୍ତିକା ଦିବସ ସମାରୋହରେ ସାଂସଦ ଶ୍ରୀ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ପାଇଥିବା କୃଷି କର୍ମଣ ପୁରସ୍କାର କଥା ଉଠାଇଥିଲେ। ସେ କହିଥିଲେ ଯେ, ରାଜ୍ୟକୁ କୃଷି କର୍ମଣ ପୁରସ୍କାର ସିନା ମିଳିଛି, ଏପର୍ଯ୍ୟନ୍ତ କୃଷିର ବିକାଶ କ୍ଷେତ୍ରରେ ଆମେ ଢେର୍‌ ପଛରେ ପଡ଼ିଛୁ। ସାଂସଦ ଶ୍ରୀ ପଣ୍ଡାଙ୍କ ଏହି ମନ୍ତବ୍ୟକୁ ନେଇ ଭିନ୍ନଭିନ୍ନ ମନ୍ତବ୍ୟ ଶୁଣିବାକୁ ମିଳିଛି। କିଛି ଲୋକ କହିଛନ୍ତି ଯେ, କୃଷି କ୍ଷେତ୍ର ସମ୍ପର୍କରେ କହି ସେ ରାଜ୍ୟ ସରକାରଙ୍କୁ ହିଁ ନିଶାଣ କରିଛନ୍ତି। ଅନ୍ୟପକ୍ଷରେ, ସାଂସଦ ଶ୍ରୀ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆମନ୍ତ୍ରଣ ସତ୍ତ୍ୱେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସକୁମାର ପରିଡ଼ାଙ୍କୁ ସଭାସ୍ଥଳରେ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧିତ ଖବର