ବିବିସିସି ବ୍ୟାଙ୍କ ଦୁର୍ନୀତି ମାମଲାରେ ରେଜିଷ୍ଟ୍ରାରଙ୍କ ନିର୍ଦେଶ : ଆଉଟ୍‌ସୋର୍ସିଂ ଏଜେନ୍ସି ସହ ଚୁକ୍ତିନାମା ରଦ୍ଦ କର

ବାଲେଶ୍ବର : ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ବେଆଇନ୍‌ କାରବାର ସମ୍ବନ୍ଧରେ ‘ସମ୍ବାଦ’ରେ ସ୍ବତନ୍ତ୍ର ଖବର ପ୍ରକାଶ ପାଇବା ପ‌େର ଆଜି ଓଡ଼ିଶା ସମବାୟ ବ୍ୟାଙ୍କର ରେଜିଷ୍ଟ୍ରାର(ଆରସିଏସ୍‌ଓ)ଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଗତ ୨୭ ତାରିଖରେ ‌ଡିଆରସିଏସ ଦେଇଥିବା ତଦନ୍ତ ରିପୋର୍ଟ ମୂଳେ ଆରସିଏସ୍‌ଓ ଆଉଟସୋର୍ସିଂ ଏଜେନ୍ସି ସହିତ ଚୁକ୍ତିକୁ ରଦ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ବିବିସିସିବି) ବିଭିନ୍ନ ସମୟରେ ବ୍ୟା‌ଙ୍କର ଏଚ୍‌ଆର ପଲିସି-୨୦୧୧ ଦ୍ବାରା ପ୍ରଣିତ ନିଯୁକ୍ତି ସର୍ତ୍ତାବଳୀକୁ ଉଲ୍ଲଂଘନ କରାଯାଇ ୩୭ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦିଆଯାଇ ଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ରେଜିଷ୍ଟ୍ରାରଙ୍କର କୌଣସି ଅନୁମତି ମଧ୍ୟ ନିଆଯାଇ ନଥିଲା। ପୂର୍ବରୁ ଏ ସଂକ୍ରାନ୍ତରେ ୨୦୧୭ ମସିହାରେ ଏହି ବେଆଇନ୍‌ ନିଯୁକ୍ତ ସମ୍ପର୍କରେ ‘ସମ୍ବାଦ’ ଖବର ପ୍ରକାଶ ପାଇଥିଲା। ଏହାର ପରବର୍ତ୍ତୀ ତଦନ୍ତରୁ ଏହି ବେନିୟମ ନିଯୁକ୍ତି ବି‌ଷୟରେ ଜଣାପଡ଼ିଥିଲା। ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ବରଂ ଆଉଟ୍‌ସୋର୍ସିଂ ସଂସ୍ଥା ମାଧ୍ୟମରେ ଏହି ନିଯୁକ୍ତି ଦିଆଯାଇଥିବାରୁ ଏଥିରେ କିଛି ଅସଂଗତି ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଥିଲେ।

ଏ ବାବଦରେ ସୁଜିତ୍‌ ନାୟକ ନାମକ ବ୍ୟକ୍ତି ଓ ଅନ୍ୟମାନେ ଭୁବନେଶ୍ବରସ୍ଥିତ ଓଡ଼ିଶା ସମବାୟ ସମିତି ରେଜିଷ୍ଟ୍ରାରଙ୍କଠାରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଆରସିଏସ୍‌ଓ ବାଲେଶ୍ବର ଡିଆରସିଏସ୍‌ଙ୍କୁ ନିର୍ଦେଶ ଦେଇଥିଲେ। ଉକ୍ତ ନିର୍ଦେଶ ଅନୁସାରେ ଡିଆସିଏସ୍‌ଙ୍କ ତଦନ୍ତରୁ ବ୍ୟାଙ୍କର ବହୁ ବେଆଇନ୍‌ କାରବାର ପଦାକୁ ଆସିଥିଲା। ବ୍ୟାଙ୍କରେ କେବଳ ବେଆଇନ୍‌ ନିଯୁକ୍ତି ନୁହେଁ, ବିଭିନ୍ନ ସମୟରେ ବିନା ଟେଣ୍ଡରରେ ମନମୁଖୀ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଥିଲା। ଡିଆରସିଏସ୍‌ ଏ ସଂକ୍ରାନ୍ତରେ ୬ଟି ଦିଗ ଉପରେ ତଦନ୍ତ କରି ଏକ ୯ ପୃଷ୍ଠିଆ ରିପୋର୍ଟ ଆରସିଏସ୍‌ଓଙ୍କୁ ପ୍ରଦାନ କରିଥିଲେ। ଏହି ରିପୋର୍ଟ ମୂଳେ ଆଜି ଚିଠି ନମ୍ବର ଏକ୍ସଆଇଭି-୩୮/୧୬-୧୪୬୬୧/ବ୍ୟାଙ୍କ-୩/ ୧୫-୭-୨୦୧୯ରେ ବ୍ୟାଙ୍କର ସମ୍ପାଦକଙ୍କୁ ଆଉଟ୍‌ସୋର୍ସିଂ ଏଜେନ୍ସି ସହିତ ହୋଇଥିବା ଚୁକ୍ତିନାମାକୁ ତୁରନ୍ତ ରଦ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ଏହାର ରିପୋର୍ଟ ଏକ ପକ୍ଷ(୧୫ ଦିନ) ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ବ୍ୟାଙ୍କର ସେକ୍ରେଟାରି ଅଜିତ୍‌ ପଟ୍ଟନାୟକଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ କୌଣସି ଚିଠି ପାଇନଥିବା କହିଛନ୍ତି।

ସମ୍ବନ୍ଧିତ ଖବର