ଭାଲୁ ମାରିଲା, ମଲା : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ରଗଡ଼ି : ଯାଜପୁର ରୋଡ୍‌ ସହର ନିକଟରେ ଆଜି ସକାଳୁ ସକାଳୁ ଭାଲୁ ଆତଙ୍କ ଦେଖା ଦେଇଥିଲା। ଗୋଟିଏ ଭାଲୁ ସାହି ଭିତରକୁ ପଶିଆସି ଗୋଡ଼େଇ ଗୋଡ଼େଇ ଲୋକଙ୍କୁ ଆକ୍ରମଣ କରିଛି। ଏଥିରେ ଜଣକର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।

ଆଜି ସକାଳ ପ୍ରାୟ ସାଢ଼େ ୫ ଟାରେ କୋରେଇ ବ୍ଲକର ପାଟରଙ୍ଗା ପଞ୍ଚାୟତ ଗୋହିରାଗଡ଼ିଆ (ଭାଲୁକାହୁଡ଼ି ଆଦିବାସୀ ସାହି)ରେ ଏକ ଭାଲୁ ପଶି ଯାଇଥିଲା। ଏହି ସମୟରେ ଶ୍ୟାମ ହେଁସା (୬୦) ଔଷଧୀୟ ପତ୍ର ଆଣିବାକୁ ଚାଷଜମି ନିକଟକୁ ଯାଇଥିଲେ। ମୁହାଁମୁହିଁ ହୋଇଯିବାରୁ ତାଙ୍କୁ ଭାଲୁଟି ଝୁଣି ପକାଇଥିଲା। ଭୟଙ୍କର ଭାବେ କ୍ଷତବିକ୍ଷତ କରିପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ରକ୍ଷା କରିବାକୁ ଯାଇ ସେହି ସାହିର ଶୁକ୍ରା ମୁଣ୍ଡା ଓରଫ ଶୁକ୍ରା (୩୫) ଗୁରୁତର ଆହତ ହୋଇଥିଲେ। ପରେ ମୃତକ ଓ ଆହତ ପରିବାରକୁ କ୍ଷତିପୂରଣ ଦାବି ସହ ସୁରକ୍ଷା ପାଇଁ ଆଦିବାସୀ ସାହିର ଶତାଧିକ ମହିଳା ଓ ପୁରୁଷ ପାରମ୍ପରିକ ହାତହତିଆର ଧରି ଲକ୍ଷ୍ମୀନଗର ଛକଠାରେ ସକାଳ ପ୍ରାୟ ୯.୩୦ମିନିଟ୍‌ ସମୟରେ ୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସରକାରୀ ବ୍ୟବସ୍ଥା ଅନୁଯାୟୀ ପରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା। ପରେ, ଲୋକମାନେ ଭାଲୁଟିକୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର