ଭାଲୁ ଆକ୍ରମଣରେ ବୃଦ୍ଧା ମୃତ, ଶବ ଜଗି ବସିଛି ଭାଲୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପଟେ ରକ୍ତମୁଖା ଭାଲୁ ବୃଦ୍ଧାଙ୍କୁ ମାରିବା ପରେ ଶବ ନିକଟରେ ଜଗି ବସିଥିବା ଜଣାଯାଇଛି। ଏହି ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଜନସମାଗମ ହୋଇଥିଲେ ହେଁ ଭାଲୁ ଶବକୁ ଛାଡ଼ି ଯାଉନଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମର ଗୋରୀ ଅମନତ୍ୟ(୭୦) ତିନି ଦିନ ପୂର୍ବେ ସିନ୍ଧିଗୁଡ଼ା ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ! ତେବେ ସନ୍ଧ୍ୟା ପୂର୍ବରୁ ଗୋରୀ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେହେଁ ଗୋରୀଙ୍କ ସନ୍ଧାନ ମିଳିନଥିଲା ! ଆଜି ସକାଳୁ ସିନ୍ଧିଗୁଡ଼ା ଜଙ୍ଗଲରେ ଏକ ଭାଲୁ ଲୋକଙ୍କ ନଜରକୁ ଆସିଥିଲା ।ଲୋକେ ଭାଲୁ ରହିଥିବା ସ୍ଥାନରେ ଏକ ଶବ ପଡ଼ିଥିବା  ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଜଙ୍ଗଲକୁ ଯାଇ ଶବକୁ ଚିହ୍ନି ପାରିଥିଲେ ହେଁ ଭାଲୁ ଜଗି ରହିଥିବା କାରଣରୁ ଶବକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ନ ଥିଲେ ।

ଏନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀଙ୍କ ସମେତ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର୍ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି । ବନ ବିଭାଗ କର୍ମଚାରୀ ନିଆଁ ହୁଳା ଦେଖାଇ ଭାଲୁକୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଥିଲେ ହେଁ ଖବର ଲେଖା ହେବା ପର୍ଯ୍ୟନ୍ତ ଭାଲୁ ଶବ ନିକଟରୁ ହଟି ନ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର