ଝାଡ଼ା କରି ଦେବାରୁ ଶିଶୁକୁ ନିସ୍ତୁକ ମାଡ଼, ଥାନାରେ ଏତଲା

ଉଦ୍ଧାର ପରେ ଶିଶୁଭବନରେ ଭର୍ତ୍ତି

କଟକ: ‘ପ୍ୟାଣ୍ଟରେ ଝାଡ଼ା ବସିବାରୁ ପିଉସୀ ମା’ ଝାଡ଼ୁରେ ନିସ୍ତୁକ ମାଡ଼ ମାରିଲେ । ଖାଇବାକୁ ବି ଠିକ୍‌ରେ ଦିଅନ୍ତିନି…ା’ ଶିଶୁଭବନରେ ଭର୍ତ୍ତି ହୋଇଥିବା ଚାରି ବର୍ଷର ଶିଶୁ କନ୍ୟା ନିଜ ପିଉସୀ ମା’ ବିରୋଧରେ ଏମିତି ଅଭିଯୋଗ କରିିଛି । ଶିଶୁ କନ୍ୟାର ଶରୀରର ବିଭିନ୍ନ ସ୍ଥାନର ମାଡ଼ ଓ ଖଣ୍ଡିଆ ଦାଗ ଦେଖିବାକୁ ମିଳିଛି । ସିଡିଏ ସେକ୍ଟର ୧୧ ଅଞ୍ଚଳରେ ପିଉସୀଙ୍କ ଘରେ ସେ ରହୁଥିବା ବେଳେ ଜଣେ ପଡ଼ୋଶୀ ମାଡ଼ର ଭିଡିଓ ରେକର୍ଡିଂ କରି ଭାଇରାଲ୍‌ କରିଦେବା ପରେ ଆଜି ଘଟଣା ସାମ୍‌ନାକୁ ଆସିଛି। ଏଥିରେ ଶିଶୁ ନିଜ ପ୍ୟାଣ୍ଟ ନିଜେ ସଫା କରୁଥିବା ଦେଖିବାକୁ ମିଳିଛି। ସେତିକି ବେଳେ ତା ପିଉସୀ ଖୁନ୍ଦା ମାରୁଥିବା ଭିଡିିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି। ଜିଲ୍ଲାପ୍ରଶାସନ ପକ୍ଷରୁ ତାକୁ ଆଜି ଉଦ୍ଧାର କରାଯିବା ସହ ଏ ସଂକ୍ରାନ୍ତରେ ଫେଜ୍‌-୨ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିବା ସୂଚନା ମିଳିଛି ।

୪ ବର୍ଷର ନାବାଳିକା ଶିଶୁ କନ୍ୟାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ ସିଡବ୍ଲୁସି ସଦସ୍ୟା ସୁଜାତା ପଟ୍ଟନାୟକ ଆଜି ଖବର ପାଇଥିଲେ । ଏକ ଭିଡ଼ିଓରେ ଜଣେ ମହିଳା ୪ ବର୍ଷର ଶିଶୁ କନ୍ୟାକୁ ଛାତ ଉପରେ ମାଡ଼ ମାରୁଥିବା ଦୃଶ୍ୟ ଏଥିରେ ଦେଖିବାକୁ ମିଳିଥିଲା । ଏହି ଭିଡିଓ ଆଧାରରେ ଘଟଣାସ୍ଥଳକୁ ପ୍ରଥମେ ଚିହ୍ନଟ କରାଯାଇଥିଲା । ସିଡିଏ ଫେଜ୍‌ ୨ ଥାନା ଅଧୀନ ସେକ୍ଟର ୧୧ସ୍ଥିତ ମଞ୍ଚେଶ୍ୱରୀ ବିଦ୍ୟାଳୟ ନିକଟରେ ଏକ ଭଡ଼ା ଘରେ ପିଉସା ଏବଂ ପିଉସୀଙ୍କ ଘରେ ଗଲା ୯ ମାସ ହେବ ରହୁଥିବା ଶିଶୁ କନ୍ୟାକୁ ଏଭଳି ମାଡ଼ ମରାଯାଉଥିଲା । ତା’ ବାପା ମା’ ଦିଲ୍ଲୀରେ ଏବେ ରହୁଥିବା ବେଳେ ଉକ୍ତ ନାବାଳିକାକୁ ସିଡିଏରେ ରଖିଥିବା ପିଉସୀ ଏଭଳି ନିର୍ଯାତନା ଦେଉଥିଲେ । ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଫେଜ୍‌ ୨ ଥାନା ପୁଲିସ, ସିଡବ୍ଲୁସି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଏବଂ ଚାଇଲ୍ଡ ଲାଇନ୍‌ ସହାୟତାରେ ଉକ୍ତ ମହିଳାଙ୍କ ଘରେ ଚଢ଼ଉ କରାଯାଇଥିଲା। ସେଠାରୁ ନାବାଳିକାକୁୁ ଉଦ୍ଧାର କରାଯାଇଥିଲା । ନାବାଳିକାର ବାମ ହାତ କହୁଣୀ, ବାମ ପଟ ଗାଲ, ପିଠି ସମେତ ଶରୀରର ଅନ୍ୟାନ୍ୟ ଅଙ୍ଗରେ ମାଡ଼ ଦାଗ ଦେଖିବାକୁ ମିଳିଥିଲା। ତୁରନ୍ତ ଉଦ୍ଧାର ପରେ ଶିଶୁଭବନର ଜରୁରିକାଳୀନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା ।

ଡିସିପିଓ ପ୍ରଗତି ମହାନ୍ତି କହିବା ଅନୁଯାୟୀ ଏହି ଶିଶୁକନ୍ୟାକୁ ଅତି ଅମାନୁଷିକ ଭାବେ ତାଙ୍କ ପିଉସୀ ମାଡ଼ ମାରିଛନ୍ତି । ଶିଶୁକୁ ଉଦ୍ଧାର ପରେ ଶିଶୁଭବନରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ବଡ଼ ମେଡିକାଲ୍‌ ଏଫ୍‌ଏମ୍‌ଟିରେ ଇଞ୍ଜୁରୀ ପରୀକ୍ଷା କରାଯିବ । ତା’ ପିଉସୀ ବିରୋଧରେ ଲିଖିତ ଏତଲା ଦିଆଯିବା ସମ୍ପର୍କରେ ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର