ଭୁବନେଶ୍ୱର : ମିଳିତ ବିଏଡ୍ ଶିକ୍ଷକ ମହାସଂଘ ପକ୍ଷରୁ ଆସନ୍ତା ୧୦ ତାରିଖରେ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା। ତେବେ ଭାରତ ବନ୍ଦ ପାଇଁ ଏହାକୁ ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଜି ମିଳିତ ବିଏଡ୍ ଶିକ୍ଷକ ମହାସଂଘର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏଲିମେଣ୍ଟାରି ଟିଜି ଶିକ୍ଷକ ସଂଘ, ଆଟ୍ରିବ୍ୟୁଜ୍ ସଂଘ ଓ ବିଏଡ୍ ଶିକ୍ଷା ସହାୟକ ସଂଘର ନେତୃମଣ୍ଡଳୀ ଯୋଗ ଦେଇଥିଲେ। ବିଏଡ୍ ଶିକ୍ଷକମାନଙ୍କ ଦାବିକୁ ସରକାର ବିଚାରକୁ ନେଇ ନ ଥିବାରୁ ଓ ସଂଘ ସହ ଆଲୋଚନା କରି ନ ଥିବାରୁ ୧୧ ତାରିଖରେ ବିଧାନସଭା ଘେରାଉ କରିଯିବା ସହ ଦୁର୍ବାର ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଏଡ୍ ଭିତ୍ତିରେ ନିଯୁକ୍ତ ଶିକ୍ଷକମାନଙ୍କ ପଦବିକୁ ମାଟ୍ରିକ୍ ସିଟିରୁ ଅପ୍ଗ୍ରେଡ୍ କରାଯାଇ ନିଯୁକ୍ତି ଦିଆଯାଇଥିବା ଟିଜି ଶିକ୍ଷକ ପଦବି ଲେବଲ୍-୩ରେ ନିଯୁକ୍ତ କରିବା ସହ ବିଷୟଭିତ୍ତିକ ଶିକ୍ଷକ ଭାବେ ଗ୍ରହଣ କରିବା ଓ ସେହି ଅନୁସାରେ ଅବିକଳ କେନ୍ଦ୍ରୀୟ ହାରରେ ସପ୍ତମ ବେତନ କମିସନ୍ଙ୍କ ସୁପାରିସ୍ ଆଧାରରେ ଦରମା ପ୍ରଦାନ କରିବାକୁ ମହାସଂଘ ଦାବି କରିଛି। ମହାସଂଘର ଅନ୍ୟ ଦାବି ମଧ୍ୟରେ ରହିଛି ୧.୭.୨୦୧୪ରେ ସଂଶୋଧିତ କ୍ୟାଡର୍ ରୁଲ୍କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ସହ ଟିଜି ପଦବିରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିଯୁକ୍ତି ଦିନ ଠାରୁ ଲେବଲ୍-୩ ପଦବିରେ ଅବସ୍ଥାପିତ କରି ସେହି ଅନୁସାରେ ଦରମା ପ୍ରଦାନ, ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ଉଚ୍ଚ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟରେ ପଦୋନ୍ନତି ଭିତ୍ତିରେ ନିଯୁକ୍ତି ପ୍ରଦାନ ବ୍ୟବସ୍ଥା, ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକମାନଙ୍କୁ ୬ ବର୍ଷର କାର୍ଯ୍ୟ ସମୟ ଅବଧିକୁ ଉଚ୍ଛେଦ କରି ମୂଳ ଚାକିରି କାଳରେ ଗଣନା କରିବା ସହ ବାର୍ଷିକ ଗୋଟିଏ ଇନ୍କ୍ରିମେଣ୍ଟ୍ ପ୍ରଦାନ କରି ନିୟମିତ କରିବା, ୨୦୦୫ ପର ଠାରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ନୂତନ ପେନ୍ସନ୍ ପରିବର୍ତ୍ତେ ପୁରାତନ ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା ଇତ୍ୟାଦି। ଆଜିର ବୈଠକରେ ଲକ୍ଷ୍ମଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ଅଜୟ କୁମାର ଧଳ, ଦେବେନ୍ଦ୍ର କୁମାର ନାୟକ, ସରୋଜ କୁମାର ପଣ୍ଡା, ରଞ୍ଜନ କୁମାର ମହାନ୍ତି, ସୁଧୀର କୁମାର ପ୍ରଧାନ, ଉମେଶ ଚନ୍ଦ୍ର ନାୟକ, ମୁରଲୀଧର ନାୟକ, ଦୁର୍ଯ୍ୟୋଧନ ଦାସ, ନୃସିଂହ ଚରଣ ସାହୁ ଓ ସଚ୍ଚିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।