ନୀଳଗିରିରେ ଭାଲୁ ମଡ଼କ: ପୁଣି ମିଳିଲା ୨ ମୃତଦେହ

ନୀଳଗିରି: ନୀଳଗିରିରେ ଆଜି ପୁଣି ୨ଟି ଭାଲୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ମିଶାଇ ଗତ ଏକମାସ ମଧ୍ୟରେ ୪ଟି ଭାଲୁଙ୍କ ମୃତଦେହ ଉଦ୍ଧାର କରାଗଲାଣି। ଏ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ବନବିଭାଗ ଭାଲୁ ମୃତ୍ୟୁର କାରଣ ଖୋଜୁଛି। ଏହି ଧାରା ଅବ୍ୟାହତ ରହିଲେ ୬ ମାସ ମଧ୍ୟରେ ନୀଳଗିରି ବନାଞ୍ଚଳରୁ ଭାଲୁ ବଂଶ ଲୋପ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁସାରେ, ନୀଳଗିରି ରେଞ୍ଜ ଅଧୀନସ୍ଥ ସଂରକ୍ଷିତ ସ୍ବର୍ଣ୍ଣଚୂଡ଼ ପାହାଡ଼ର ପାଦଦେଶରେ ଥିବା ଜାମୁଡିହା ପଞ୍ଚାୟତର ଘାଗରାନାଳ ନିକଟରେ ଆଜି ୨ଟି ଭାଲୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ନୀଳଗିରି ରେଂଜର କବି ସୁକୁମାର ଦାସ, ସଜନାଗଡ଼ ଫରେଷ୍ଟର ସରୋଜ ପ୍ରଧାନ, ନୀଳଗିରି ଫରେଷ୍ଟର ଦେବରାଜ ରାଉତ, ଫରେଷ୍ଟଗାର୍ଡ ହିମାଂଶୁ ପାଢ଼ୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ମୃତ ଭାଲୁ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଭାଲୁ ୨ଟିକୁ ପୋତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର