ଉପନିର୍ବାଚନ ପୂର୍ବରୁ ବିଜେପୁରରେ ହତ୍ୟାକାଣ୍ଡ: ବ୍ଲକ୍‌ ସଂଯୋଜକଙ୍କୁ ହତ୍ୟା, ୩ ଗିରଫ

ବିଜେପୁର: ଉପନିବାର୍ଚନକୁ ଅଳ୍ପ ଦିନ ବାକି ଥିବା ବେଳେ ବିଜେପୁର ଅଂଚଳରେ ଜଣେ ବ୍ଲକ୍‌ ସଂଯୋଜକଙ୍କୁ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାର ଶିକାର ହୋଇଛନ୍ତି ଗାଇସିଲାଟ ବ୍ଳକ ନୂଆଁପାଲି ଗ୍ରାମର ତରଣୀସେନ ମହଲା। ହତ୍ୟା ଅଭିଯୋଗରେ ପୁଲିସ ଜାମପାଲି ଗ୍ରାମର ରିକୁ ସାହୁ(୨୪), ଖଲାବାହାଲ ଗ୍ରାମର ରାମ ଓରଫ ହରିବଂଧୁ ମେହେର(୨୩) ଓ ଫକିର ମେହେର(୨୪)କୁ ଗିରଫ କରିଛି ବୋଲି ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସ୍ବଚ୍ଛ ଭାରତ ଯୋଜନାର ପାଇଖାନା ନିର୍ମାଣ ପାଇଁ ଟଙ୍କାକୁ ନେଇ ଉପୁଜିଥିବା ବିବାଦରୁ ଏହି ହତ୍ୟାକାଣ୍ତ ଘଟିଛି। ତରଣୀସେନ ଜଳ ଓ ପରିମଳ ବିଭାଗର ବିଜେପୁର ବ୍ଳକ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ଅଭିଯୁକ୍ତ ରିକୁ ଜଣେ ଠିକାଦାର। ତେବେ ବକେୟା ବିଲ୍‌ ପାସ୍‌ କରିବାକୁ ତରଣୀସେନ ମନା କରୁଥିବାରୁ ଉତ୍ତ୍ୟକ୍ତ ରିକୁ ଏବଂ ତା’ର ସହଯୋଗୀମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ୧୨ତାରିଖ ସକାଳେ ତରଣୀସେନ ଏକ ମିଟିଂରେ ଯୋଗଦେବା ପାଇଁ ବିଜେପୁରକୁ ନିଜ ପଲସର୍‌ ବାଇକ୍‌(ଓଡି ୧୭କ୍ୟୁ–୩୦୭୪)ରେ ବାହାରିଥିଲେ। ମାତ୍ର ସେ ଆଉ ଘରକୁ ଫେରି ନ ଥିଲେ। ପରିବାରବର୍ଗ ଖୋଜାଖୋଜି କରି କୌଣସି ସନ୍ଧାନ ନ ପାଇବାରୁ ଗାଇସିଲାଟ ଥାନାରେ ଏତଲା ଦେଇଥିଲେ। ଘଟଣାର ଦିନକ ପରେ ଡୁଙ୍ଗୁରିପାଲି ନିକଟସ୍ଥ ଏକ ଢାବାରୁ ତରଣୀସେନଙ୍କ ବ୍ୟବହୃତ ବାଇକ୍‌ ଜବତ ହୋଇଥିଲା। ତାଙ୍କୁ ବିଜେପୁର ଅଂଚଳରେ କେହି ହତ୍ୟା କରିଥିବା ସନ୍ଦେହ କରି ପରିବାର ଲୋକେ ବିଜେପୁର ଥାନାରେ ଏତଲା ଦେଇଥିଲେ। ଆଇଆଇସି ରାଜେନ୍ଦ୍ର ସିଆଲ ତଦନ୍ତ ଦାୟିତ୍ବ ନେଇଥିଲେ। ମଙ୍ଗଳବାର ସକାଳୁ ବିଜେପୁର-ସୋହେଲା ରାସ୍ତାର ବାଉଁଶପୋଲା ନିକଟରେ ଥିବା ଡମ୍ପିଂ ୟାର୍ଡ ଭିତରୁ ପୁଲିସ

ତରଣୀସେନଙ୍କ ମୃତଦେହ ଉଦ୍ଧାର କରିଥିଲା। ତରଣୀସେନଙ୍କ ବିଜେପୁରସ୍ଥିତ ଭଡ଼ାଘରେ ଏହି ହତ୍ୟାକାଣ୍ତ ଭିଆଇଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ଏହି ଘଟଣାରେ ଗୋଟିଏ ହାତୁଡ଼ି ଏବଂ ତରଣୀଙ୍କ ଲାପଟପ୍‌ ଓ ଅଧାପୋଡ଼ା ଜୋତାକୁ ପୁଲିସ ଜବତ କରିଛି। ଘଟଣାଟି ରାଜନୈତିକ ହିଂସା ହୋଇନଥିଲେ ହେଁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର