ଜୁନ ୩୦ ସୁଦ୍ଧା ହୀରାକୁଦ ବିସ୍ଥାପିତଙ୍କୁ ଜମିପଟ୍ଟା

ଲିଜ୍‌ ଜମି ବନ୍ଦୋବସ୍ତ ପାଇଁ ବି ନିର୍ଦେଶ

ସମ୍ବଲପୁର: ହୀରାକୁଦ ନଦୀବନ୍ଧ ବିସ୍ଥାପିତ ଏବଂ ସେମାନଙ୍କ ଉତ୍ତରାଧିକାରୀଙ୍କ ଡିସି ଜମି ପଟ୍ଟା ଏବଂ ଲିଜ ଜମିର ଚୂଡାନ୍ତ ବନ୍ଦୋବସ୍ତ ପୂର୍ବକ ସ୍ଥାୟୀ ପଟ୍ଟା ଜୁନ ୩୦ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ରାଜ୍ୟ ସରକାର ଝାରସୁଗୁଡା, ସମ୍ବଲପୁର, ବରଗଡ ଏବଂ ସୁବର୍ଣପୁର ଜିଲ୍ଲାପାଳମାନଙ୍କୁ କଡା ନିର୍ଦେଶ ଦେଇଛନ୍ତି। ଉପଲବ୍ଧ ଦସ୍ତାବିଜ ଉପରେ ଗୁରୁତ୍ୱ ନଦେଇ କ୍ଷେତ୍ର ସର୍ବେକ୍ଷଣ ଜରିଆରେ କାର୍ଯ୍ୟ ସମ୍ପୂର୍ଣ କରିବାକୁ କୁହାଯାଇଛି। ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଡ.ସିଏସ କୁମାର ଚଳିତ ବର୍ଷ ମେ ୫ ତାରିଖରେ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଏ ନେଇ ପତ୍ର ନମ୍ବର ୧୬୨୬୬ ଲେଖିବା ସହିତ ଅନ୍ୟ ଜିଲ୍ଲାପାଳମାନଙ୍କୁ ଏହାର ନକଲ ଦେଇଛନ୍ତି। ସେଥିରେ ସମୟବଦ୍ଧ ଭାବରେ ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ଜମି ବନ୍ଦୋବସ୍ତ କାର୍ଯ୍ୟ ସମ୍ପୂର୍ଣ କରିବା ଏବଂ ୧୫ ଦିନରେ ଅଗ୍ରଗତିର ସମୀକ୍ଷା କରି ରିପୋର୍ଟ ଦେବାକୁ କହିଛନ୍ତି। ପତ୍ରରେ ୧୯୯୦ ମସିହା ମେ ୧୭ ତାରିଖ ଏବଂ ମେ ୨୯ ତାରିଖରେ ତତ୍‌କାଳୀନ ରାଜସ୍ୱ ବିଭାଗ ପ୍ରମୁଖ ସଚିବ କେବି ବର୍ମାଙ୍କ ଯଥାକ୍ରମେ ପତ୍ରାଙ୍କ ୨୨୯୨୫ ଏବଂ ୨୩୮୬୧ ଅନୁଯାୟୀ, ଦୀର୍ଘ ବର୍ଷ ହେଲା ଉପରୋକ୍ତ ସମସ୍ୟାର ସମାଧାନ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରାଯିବା ସହ ଏହି ଦିଗରେ ଅବହେଳା କରିଥିବା ଏବଂ ପ୍ରତିବନ୍ଧକ ସାଜିଥିବା ଅଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ହୋଇଛି।

 

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଦ୍ମପୁର ମୌଜା ପୁଝାରୀପାଲି ବାସିନ୍ଦା ବନ୍ଧ ବିସ୍ଥାପିତଙ୍କ ଲଗାତାର ପ୍ରୟାସ ପରେ ରାଜ୍ୟ ସରକାର ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଏହା ହୀରାକୁଦ ବିସ୍ଥାପିତଙ୍କ ଜମି ସମସ୍ୟାର ଆଶୁ ସମାଧାନ ଦିଗରେ ଆଶା ସଂଚାର କରିବ। ତେବେ, ବିଗତ ଦିନମାନଙ୍କରେ ପ୍ରଶାସନିକ କଳର ସମ୍ବେଦନହୀନତା ଏବଂ କାର୍ଯ୍ୟକଳାପ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଏହି ନିର୍ଦେଶନାମା ସମୟବଦ୍ଧ ଭାବରେ କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପ୍ରକାଶଥାଉକି, ହୀରାକୁଦ ବନ୍ଧ ନିର୍ମାଣ ଯୋଗୁ ବିସ୍ଥାପିତ ପରିବାରଙ୍କ ଥଇଥାନର ଦୋଷ ଛଡାଇବାକୁ ଡ୍ୟାମ ପାରିପାର୍ଶ୍ୱିକ ଅଞ୍ଚଳରେ ରହିଥିବା ପରିବାରମାନଙ୍କୁ ସରକାର ୨ ଏକର ଲେଖାଏଁ ଆବାଦ ଯୋଗ୍ୟ ଅନାବାଦୀ ଜମି ଡିସି ପଟ୍ଟା ଭାବରେ ଦେଇଥିବାବେଳେ ଡ୍ୟାମର ଆରଏଲ ୬୩୦-୬୩୨ ଫୁଟ ମଧ୍ୟରେ ରହିଥିବା ଏବଂ ୬୩୨ ଫୁଟ ଉପରକୁ ରହିଥିବା ଅଧିଗୃହୀତ ଜମି ଚାଷ ପାଇଁ ଲିଜ୍‌  ଆକାରରେ ଦେଇଥିଲେ। ୧୯୫୯ ମସିହାରୁ ବିସ୍ଥାପିତ ପରିବାରମାନେ ସଂପୃକ୍ତ ଜମିକୁ ଆଶ୍ରା କରି ଜୀବିକାନିର୍ବାହ କରି ଆସୁଛନ୍ତି। ଏହି ଜମିର ବନ୍ଦୋବସ୍ତ କିମ୍ବା ସ୍ଥାୟୀ ପଟ୍ଟା ପ୍ରଦାନ ବିସ୍ଥାପିତମାନଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି । ସ୍ଥାୟୀ ଜମି ପଟ୍ଟା ବିନା ବିସ୍ଥାପିତ ଏବଂ ସେମାନଙ୍କ ଉତ୍ତରାଧିକାରୀ ପରିବାରମାନେ ବ୍ୟାଙ୍କ ଋଣ ସମେତ ବିଭିନ୍ନ ସରକାରୀ ଯୋଜନା ଏପରିକି ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଭଳି ମୌଳିକ ସେବାରୁ ବଞ୍ଚିତ ରହୁଛନ୍ତି। ଜାତୀୟ ମାନବ ଅଧିକାର କମିସନଙ୍କ ହସ୍ତକ୍ଷେପ ପରେ ଜଳସମ୍ପଦ ବିଭାଗ ହୀରାକୁଦ ବନ୍ଧ ପ୍ରକଳ୍ପରେ ଅଧିଗୃହୀତ କିନ୍ତୁ ଅବ୍ୟବହୃତ ସମସ୍ତ ଜମି ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିଛି। ବିସ୍ଥାପିତଙ୍କୁ ଦିଆଯାଇଥିବା ୨ ଏକର ଅନାବାଦୀ ଜମି ଡିସି ପଟ୍ଟାର କେତେକାଂଶରେ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। ଏହି ସମସ୍ୟା ବହୁଳାଂଶରେ ଅସମାହିତ ହୋଇ ରହିଛି । ବାକି ବୁଡି ତଥା ଅନ୍ୟ ସରକାରୀ ଲିଜ ଜମିର ବନ୍ଦୋବସ୍ତ ଏବଂ ସ୍ଥାୟୀ ପଟ୍ଟା ପ୍ରଦାନ ସମସ୍ୟା ଏବେ ମଧ୍ୟ ସମାହିତ ହୋଇନାହିଁ । ତେବେ, ରାଜସ୍ୱ ସଚିବଙ୍କ ନିର୍ଦେଶ ପରେ ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର