କୋହଳ ଦଫା ଲଗାଇବା ପାଇଁ ଲାଞ୍ଚ ମାଗି ଫସିଲେ : ବେଗୁନିଆ ଥାନାର ମହିଳା ଏସ୍‌ଆଇ ନିଲମ୍ବିତ

ଖୋର୍ଦ୍ଧା : ଏକ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇବା ପାଇଁ ଲାଞ୍ଚ ମାଗିବାର ଅଡିଓ କ୍ଲିପ୍‌ ଭାଇରାଲ ହେବା ପରେ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ବେଗୁନିଆ ଥାନାର ମହିଳା ସବ୍ଇନ୍ସପେକ୍ଟର ସୁଜାତା ପଲାଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିପରି ଭାଇରାଲ୍‌ ହୋଇଥିବା ଅଡିଓ କ୍ଲିପ୍‌ର ଫରେନ୍‌ସିକ୍‌ ଯାଞ୍ଚ ପାଇଁ କୋଲକାତା ପଠାଯାଇଥିବା ଏସ୍‌ପି ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ୪ ମାସ ପୂର୍ବେ ବେଗୁନିଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଭଲ ପାଉଥିବା ଭୁବନେଶ୍ବର ସାଲିଆସାହିର ରାହୁଳ ସ୍ବାଇଁ ଘରୁ ନେଇ ପଳାଇ ଯାଇଥିଲେ। କିଛି ଦିନ ପରେ ନାବାଳିକା ଘରକୁ ଫେରି ଆସିଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ଏ ନେଇ ବେଗୁନିଆ ଥାନାରେ ଏତଲା ଦିଆଯିବା ପରେ ଥାନାରେ ୫୭/୧୯ରେ ଏକ ମାମଲା ରୁଜୁ କରାଯାଇଥିଲା। ଗତ ୧୨ ତାରିଖରେ ରାହୁଳ ଓ ଅଶୋକ ମହାପାତ୍ର ନାମକ ଅନ୍ୟ ଜଣେ ଯୁବକ ସମ୍ପୃକ୍ତ ନାବାଳିକାଙ୍କ ଗାଁ’କୁ ଯାଇଥିଲେ ଏବଂ ଗାଁ’ ପୋଖରୀରେ ଗାଧୋଉଥିବା ନାବାଳିକାଙ୍କୁ ଅସଦାଚାରଣ କରିଥିଲେ। ଏହା ଦେଖି ଗାଁ’ଲୋକ ଓ ନାବାଳିକାଙ୍କ ପରିବାର ଯୁବକ ଦୁଇଜଣଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ଏ ନେଇ ପୁଲିସ୍‌ ପୋକ୍‌ସୋ ଆଇନ୍‌ରେ ୧୧/୨୦ରେ ଆଉ ଏକ ମାମଲା ରୁଜୁ କରି ଯୁବକ ଦ୍ବୟଙ୍କୁ ଗିରଫ କରିଥିଲା। ଏହି ମାମଲାରେ ତଦନ୍ତ ଅଧିକାରୀ ଥିବା ଏସ୍‌ଆଇ ସୁଜାତା ପଲାଇ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇବା ପାଇଁ ପ୍ରଥମେ ଅଭିଯୁକ୍ତଙ୍କ ମା’ଙ୍କଠାରୁ ୨ହଜାର ଟଙ୍କା ଲାଞ୍ଚ ନେଇଥିଲେ। ପରେ ବଳକା ଟଙ୍କା ଦେବାକୁ ଫୋନ୍ କରିଥିଲେ। ଏହି ଫୋନ୍ ବାର୍ତ୍ତାଳାପ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏ ନେଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଯେ, ଭାଇରାଲ୍‌ ଅଡିଓ ହସ୍ତଗତ ହେବା ପରେ ଯାଞ୍ଚ କରା ଯାଇଥିଲା। ଏଥିରେ ସମ୍ପୃକ୍ତ ଏସ୍‌ଆଇ ଲାଞ୍ଚ ମାଗିଥିବା କଥା ପ୍ରମାଣିତ ହେବା ପରେ ତାଙ୍କୁ ଆଜି ନିଲମ୍ବନ କରାଯାଇଛି। ଅଡିଓ କ୍ଲିପ୍‌କୁ ଯାଞ୍ଚ ପାଇଁ କୋଲକାତା ପଠାଯାଇଛି। ଅଡିଓରେ ଥିବା କଣ୍ଠସ୍ବର ମହିଳା ଏସ୍ଆଇଙ୍କର ବୋଲି ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର