ଚଳନ୍ତା ଟ୍ରେନ୍‌ରେ ବୀଭତ୍ସ ହତ୍ୟା : ମୁଣ୍ଡ ଡେଲାଙ୍ଗରେ, ଗଣ୍ଡି ପୁରୀରେ

ପୁରୀ/ଡେଲାଙ୍ଗ : ଭୁବନେଶ୍ୱର ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ଉଭୟ ଟ୍ରେନ୍‌ ଓ ରେଳଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ନେଇ ପୁଲିସ ମହାନିର୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଆଜି ପୂର୍ବାହ୍ନରେ ଏକ ବୈଠକ ଡାକି ତନାଘନା ଚଳାଇଥିଲେ। ତା’ର କିଛି ସମୟ ପୂର୍ବରୁ ପୁରୀ ଓ ଡେଲାଙ୍ଗ ଷ୍ଟେସନରେ ଛାତି ଥରାଇବା ଭଳି ଏକ ସାଂଘାତିକ ଦୃଶ୍ୟ ସାମ୍ନାକୁ ଆସିଥିଲା।

ଏକ ଚଳନ୍ତା ଟ୍ରେନ୍‌ରେ ଜଣେ ମହିଳାଙ୍କୁ ଗଳା କାଟି କେହି ଦୁର୍ବୃତ୍ତ ବୀଭତ୍ସ ହତ୍ୟା କରିଥିଲା। ଟ୍ରେନ୍‌ ପାଇଖାନା ଭିତରୁ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର କରିଥିଲା ପୁଲିସ। ଆଉ କଟାମୁଣ୍ଡଟିକୁ ଡେଲାଙ୍ଗ ନିକଟରୁ ଜବତ କରାଯାଇଥିଲା। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ତେବେ ତାଙ୍କ ହାତରେ ତେଲୁଗୁ ଭାଷାରେ ଲେଖା ଥିବାରୁ ସେ ଦକ୍ଷିଣ ଓଡ଼ିଶା କିମ୍ବା ଅନ୍ୟ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି।

ଉଭୟ ମୁଣ୍ଡ ଓ ଗଣ୍ଡିକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଫରେନ୍‌ସିକ ଟିମ୍‌ ମେଳ କରିବା ପରେ ମୃତଦେହଟି ଜଣକର ବୋଲି ଜଣାପଡିଛି। ଅର୍ଦ୍ଧନଗ୍ନ ଅବସ୍ଥାରେ ମହିଳାଙ୍କ ଶବ ଦେଖିବା ପରେ ଏହା ଏକ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି।

ପାଇଖାନା ବେସିନ୍‌ରୁ ପୁଲିସ ଏକ ଛୁରୀ ଓ ମହିଳାଙ୍କ ମୁଣ୍ଡର ଏକ କ୍ଲିପ୍‌ ମଧ୍ୟ ଜବତ କରିଛି।

ଦୁର୍ବୃତ୍ତ ମହିଳାଙ୍କ ବେକ କାଟି ଦେବା ପରେ କଟାମୁଣ୍ଡକୁ ଏକ ଜରି ମୁଣିରେ ପୂରାଇ ଝରକା ପଟେ ଫିଙ୍ଗି ଦେଇଥିଲା। ପୁରୀ ଜିଆର୍‌ପି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଏହି ଘଟଣା ଆଜି ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଖୋର୍ଦ୍ଧର୍ାରୁ ପୁରୀ ହୋଇ ଗୁଣପୁର ଯିବାକୁ ଥିବା ଏହି ଟ୍ରେନ୍‌ଟି ସକାଳ ୬ଟା୧୫ରେ କିଛି ଖାଲି ବଗିକୁ ଧରି ପୁରୀ ରେଳ ଷ୍ଟେସନରେ ପହଞ୍ଚିଥିଲା। ଯାତ୍ରୀମାନେ ଟ୍ରେନ୍‌ ଚଢିବା ବେଳେ ଏକ ଖାଲି ବଗିର ପାଇଖାନା ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ମହିଳାଙ୍କର ଶବ ଦେଖି ଚିତ୍କାର କରିଥିଲେ। ଷ୍ଟେସନ୍‌ ମ୍ୟାନେଜରଙ୍କଠାରୁ ଅଭିଯୋଗ ପାଇବା ପରେ ପୁରୀ ଜିଆର୍‌ପି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଅନ୍ୟପକ୍ଷରେ ଆଜି ସକାଳ ୭ଟା ବେଳେ ଡେଲାଙ୍ଗ ରେଳ ଷ୍ଟେସନ ବେରବୋଇ ଏଲ୍‌ସି ଗେଟ୍‌ ପାଖ ଟ୍ରେନ୍‌ ଲାଇନରେ ଜଣେ ମହିଳାଙ୍କର ରକ୍ତାକ୍ତ ମୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାଖରେ ଏକ ଜରି ମୁଣି ସହିତ ଏକ ବ୍ୟାଗ ମଧ୍ୟ ପଡ଼ିଥିଲା। ଟ୍ରେନ୍‌ ଲାଇନ କଡ଼କୁ ଶୌଚ ପାଇଁ ଯାଇଥିବା ଗ୍ରାମବାସୀ ଏହା ଦେଖି ଜିଆର୍‌ପି ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟ ମୁଣ୍ଡ ଓ ଗଣ୍ଡିକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଫରେନ୍‌ସିକ୍‌ ପରୀକ୍ଷାରୁ ଉଭୟ ମୁଣ୍ଡଗଣ୍ଡି ସଂପୃକ୍ତ ମହିଳାଙ୍କର ବୋଲି ଜଣାପଡିଥିଲା। ତେବେ ମହିଳାଙ୍କର ପରିଚୟ ମିଳିନଥିବାରୁ ପୁଲିସ ତଦନ୍ତ ଆଗକୁ ବଢିପାରିନାହିଁ। ମହିଳାଙ୍କ ପରିଚୟ ପାଇଁ ଜିଆରପି ପକ୍ଷରୁ ଟେଲିଫୋନ୍‌ ନମ୍ବର ଜାରି କରାଯାଇଛି।

ଆଜି ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଇ ତଦନ୍ତ କରାଯାଇଥିଲା। ଖୋର୍ଦ୍ଧା ରୋଡ୍‌ ଜିଆର୍‌ପି ଏସ୍‌ଆଇ ସନ୍ତୋଷ ବାହିନୀପତିଙ୍କ ତତ୍ତ୍ଵାବଧାନରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି। ପାରିପାର୍ଶ୍ୱିକ ପରିସ୍ଥିତି ଏବଂ ଶବ ପଡ଼ିଥିବା ସ୍ଥାନକୁ ନେଇ ହତ୍ୟାକାଣ୍ଡ କେଉଁ ପରିସ୍ଥିତିରେ ହୋଇଛି ତାର ଛାନଭିନ୍‌ ଚଳାଇଛି ପୁଲିସ୍‌। ଘଟଣାସ୍ଥଳରୁ ଯେଉଁ ଛୁରୀକୁ ଜବତ କରାଯାଇଛି ସେଇଥିରେ ହିଁ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଦୃଢୀଭୂତ ହୋଇଛି।

ତେବେ ଏକ ଖାଲି ଟ୍ରେନ୍‌ରେ ମହିଳା ଜଣକ ଚଢିବା ଓ ତାଙ୍କ ସହିତ ଅନ୍ୟମାନେ ଟ୍ରେନରେ ଚଢିବା ଘଟଣା ପଛରେ ପୂର୍ବ ଶତ୍ରୁତାଜନିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପାଇଖାନା ଭିତରେ ମହିଳା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କ ସହିତ ଦୁଷ୍କର୍ମ କରାଯିବା ଏବଂ ପ୍ରମାଣ ନଷ୍ଟ ପାଇଁ ତାଙ୍କୁ ହତ୍ୟା ପରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଝରକା ପଟେ ମହିଳାଙ୍କ ମୁଣ୍ଡ ଫିଙ୍ଗାଯାଇଥିବାର ପ୍ରମାଣ ମିଳିଛି। ମହିଳା ଜଣକ ମୁଣ୍ଡରେ ଲଗାଇଥିବା ଏକ କ୍ଲିପ୍‌ ଏହି ଝରକାରେ ରହିଯାଇଥିବା ଜଣାପଡିଛି।

ଚଳନ୍ତା ଟ୍ରେନ୍‌ରେ ଏତେ ବଡ଼ ଘଟଣା ଘଟିଲା ନା କେହି ଖାଲି ବଗିର ସୁଯୋଗ ନେଇ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଭିଆଇଛି ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ ହୋଇଛି। କାରଣ, ଟ୍ରେନ୍‌ର ପାଇଖାନା ଏତେ ବଡ଼ ନୁହେଁ, ଯେଉଁଠାରେ ଏକାଧିକ ଲୋକ ନିର୍ଦ୍ୱନ୍ଦ୍ୱରେ ଅପରାଧ ଘଟାଇପାରିବେ। ସେହିପରି ଯଦି କେହି ଅଜଣା ବ୍ୟକ୍ତି ଏପରି କାଣ୍ଡ ଭିଆଇଥାନ୍ତେ ତେବେ ସଂପୃକ୍ତ ମହିଳାଙ୍କ ସଂପର୍କୀୟ ତାଙ୍କୁ ଖୋଜାଖୋଜି କରିବା ପରେ ଘଟଣାଟି ଜଣାପଡିଥାନ୍ତା। ଏ କ୍ଷେତ୍ରରେ କେହି ସମ୍ପର୍କୀୟ ଏଭଳି ଘଟଣା ଘଟାଇ ଥାଇପାରେ ବା କୌଣସି ଭିନ୍ନ ଉଦ୍ଦେଶ୍ୟ ରଖି ଦୁର୍ବୃତ୍ତଙ୍କ ସହିତ ସଂପୃକ୍ତ ମହିଳା ଆସିବା ପରେ ଏଭଳି ଅଭାବନୀୟ ପରିସ୍ଥିତିକୁ ସାମ୍ନା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। କେହି ଅନ୍ୟତ୍ର ହତ୍ୟା କରି ରାତିରେ ପରିଚୟ ବା ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପାଇଖାନା ଭିତରେ ଭର୍ତ୍ତି କରିଥାଇପାରେ ଓ ସୁଯୋଗ ଦେଖି ଡେଲାଙ୍ଗ ପାଖରେ ମୁଣ୍ଡ ଫିଙ୍ଗିଥିବା ମଧ୍ୟ ଅନୁମାନ କରାଯାଉଛି। ତେବେ କାରଣ ଯାହା ବି ହେଉ, ରଥଯାତ୍ରା ଅବ୍ୟବହିତ ପୂର୍ବରୁ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ରେଳବାଇ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲଗାଇଛି।

ସମ୍ବନ୍ଧିତ ଖବର