ବେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ଭଙ୍ଗା, ବିପଦସଙ୍କୁଳ ଘରେ ରୋଗୀ ସେବା, ଗ୍ୟାରେଜରେ ଚାଲିଛି ତାଲିମ କାର୍ଯ୍ୟକ୍ରମ

କଟକ : ଭଙ୍ଗା, ବିପଦସଙ୍କୁଳ ଘରେ ଚାଲିଛି ଡାକ୍ତରଖାନା। ଡାକ୍ତର ବସିବାକୁ ସୁରକ୍ଷିତ ସ୍ଥାନ ନାହିଁ। ଔଷଧ ରଖିବାକୁ ବି ଘର ନାହିଁ। ଛାତରୁ ପ୍ଲାଷ୍ଟର ଖସୁଛି। ବ‌ର୍ଷା ହେଲେ ପାଣି ଝରୁଛି। ଗ୍ୟାରେଜରେ ଚାଲିଛି ତାଲିମ୍‌ କାର୍ଯ୍ୟକ୍ରମ। ଲକ୍ଷାଧିକ ଲୋକ ନିର୍ଭର କରୁଥିବା ୬୦ ବର୍ଷର ପୁରୁଣା ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇଏ ହେଉଛି ସ୍ଥିତି। କଟକ ସହରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଏହି ସିଏଚ୍‌ସି। କିନ୍ତୁ ‘ଫନି’ରେ ଭାଙ୍ଗି ଯାଇଥିବା ଅଫିସ୍‌ ଗୃହ, ପାଚେରି ଆଜି ଯାଏ ବି ମରାମତି ହୋଇ ପାରି ନାହିଁ।

ବୟାଳିଶ ମୌଜାର ବେଣ୍ଟକାରରେ ଥିବା ଏହି ୬ଶଯ୍ୟା ବିଶିଷ୍ଟ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ଜଣ ମେଡିକାଲ ଅଫିସର ଓ ୪ ଜଣ ବିଶେଷଜ୍ଞ ଡାକ୍ତର ପଦବି ରହିଛି। ରେକର୍ଡ କହୁଛି ଡାକ୍ତର ପଦବି ଖାଲି ନାହିଁ। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ୪ଜଣ ବିଶେଷଜ୍ଞ ପଦ ମଧ୍ୟରୁ ସର୍ଜରି ବିଭାଗ ଡାକ୍ତର କଟକ ବଡ଼ମେଡିକାଲରେ ସିନିୟର ରେସିଡେଣ୍ଟଭାବେ ଡେପୁଟେସନ୍‌ରେ ଅଛନ୍ତି। ଶିଶୁ ବିଭାଗର ଡାକ୍ତର ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇ ସାରିଥିବାରୁ ସେ ରିଲିଭ ହେବାକୁ ଯାଉଛନ୍ତି। ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଛୁଟିରେ ଥିବାବେଳେ ଦାନ୍ତ ଡାକ୍ତର କେବଳ ରହିଛନ୍ତି ରୋଗୀଙ୍କ ଚିକିତ୍ସା ପାଇଁ। ମାତ୍ର ଗୋଟିଏ ଛୋଟ କୋଠରିରେ ଚାଲିଛି ରୋଗୀ ଦେଖା। ଯକ୍ଷ୍ମା ନିରାକରଣ କେନ୍ଦ୍ର କୋଠାରେ ଗଛ ଉଠିଲାଣି। ଔଷଧ ରହୁଥିବା ଘର ‘ଫନି’ ବାତ୍ୟାରେ ଭାଙ୍ଗି ଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଜବେଷ୍ଟସ ଉଡ଼ି ଯାଇଛି। ଅଫିସ ଗୃହ ନଥିବାରୁ ରାଜୀବ ଆବାସ କେନ୍ଦ୍ରରେ ବେଣ୍ଟକାର ମେଡିକାଲର ଅଫିସ ଗୃହ ଖୋଲିବାକୁ ୩ ମାସ ତଳେ ବିଡିଓଙ୍କୁ ଚିଠି ଦେଇଥି‌ଲେ ଜିଲ୍ଲାପାଳ। କିନ୍ତୁ ଏଯାଏ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ପାରିନି। ପାଖାପାଖି ୫ଶହ ଆଶା ଦିଦିମାନଙ୍କୁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଗ୍ୟାରେଜ ଘରେ ତାଲିମ ଦିଆଯାଉଛି। ‘ଫନି’ ପରେ ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ୩ କୋଟି ଟଙ୍କା ମଂଜୁର ହୋଇଛି। କିନ୍ତୁ ସ୍ଥାନ ଚିହ୍ନଟ କାମ ଏଯାଏ ଶେଷ ହୋଇ ପାରୁନି। ଘର ନଥିବାରୁ ମେଡିକାଲକୁ ଆସୁଥିବା ବିଭିନ୍ନ ଉପକରଣ ବ୍ୟବହାର ‌ନ ହୋଇ ଖୋଳ ଭିତରେ ସାଇତି ରଖାଯାଉଛି। ବେଡ୍‌ ପଡିବାକୁ ସ୍ଥାନ ନଥିବାରୁ କେବଳ ନାଁକୁ ମାତ୍ର ଛୋଟ କୋଠରିରେ ପକାଯାଇଛି ୩ଟି ବେଡ୍‌। କଟକ ସହରର ଅନତି ଦୂରରେ ଥିବା ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସଜାଡିବାରେ ‘୫-ଟି’ ଯୋଜନା ଆଉ କେତେ ସମୟ ନେବ, ତାହା କିଏ କହିବ।

ସମ୍ବନ୍ଧିତ ଖବର