ମେରାଇନ୍‌ ଥାନାକୁ ମିଳିଲା ସ୍ପିଡ୍‌ ବୋଟ୍‌

ବ୍ରହ୍ମଗିରି : ଜଳପଥରେ ଆତଙ୍କବାଦୀ ଆସି ଉପକୂଳରେ ଯେଭଳି ପ୍ରବେଶ ନ କରନ୍ତି ସେଥିପାଇଁ ଉପକୂଳର ବିଭିନ୍ନ ସ୍ଥାନରେ ମେରାଇନ ଥାନା ପ୍ରତିଷ୍ଠା କରାଯାଇଛି। ପୁରୀ ଜିଲ୍ଲାର ଅସ୍ତରଙ୍ଗ, ପେଣ୍ଠକଟା ଓ ଅରଖକୁଦା ଠାରେ ମେରାଇନ ଥାନା ପ୍ରତିଷ୍ଠା କରାଯାଇଛି। ଏହିସବୁ ଥାନାରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ପୁଲିସ କର୍ମଚାରୀ ସହିତ ସ୍ପିଡ୍‌ ବୋଟ୍‌ ରଖାଯିବା ପାଇଁ ବ୍ୟବସ୍ଥା ଥିଲା। କିନ୍ତୁ କୃଷ୍ଣପ୍ରସାଦ ବ୍ଲକ୍‌ ଅରଖକୁଦା ମେରାଇନ୍‌ ଥାନାକୁ ସ୍ପିଡ୍‌ ବୋଡ୍‌ ମିଳି ନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଥାନା ପ୍ରତିଷ୍ଠା ହେବାର ତିନି ବର୍ଷ ପରେ ଏବେ ଏହି ଥାନାକୁ ମିଳିଛି ସ୍ପିଡ୍‌ ବୋଟ୍‌। ଏହି ସ୍ପିଡ୍‌ ବୋଟ ଏବେ ସାତପଡ଼ା ଜେଟି ଅଞ୍ଚଳରେ ରଖାଯାଇଛି।

ଏହି ବୋଟ୍‌ ପାଇଁ ୫ ଜଣ ତାଲିମପ୍ରାପ୍ତ ପୁଲିସ କର୍ମଚାରୀ ରହିଛନ୍ତି। ନିୟମ ଅନୁଯାୟୀ ଏହି ହାଇସ୍ପିଡ୍‌ ବୋଟ୍‌ ଥାନା ପାଖରେ ରହିବା କଥା। କିନ୍ତୁ ଏହା ଏଠାରେ ରହୁ ନାହିଁ। ଅରଖକୁଦା ମେରାଇନ୍‌ ଥାନା ପାଖରୁ ଚିଲିକାର ବିଭିନ୍ନ ମୁହାଣ ପାଖକୁ ଖୁବ କମ ସମୟ ମଧ୍ୟରେ ଯାଇ ପାରିବ। ଏହା ସହିତ ସମୁଦ୍ର ଭିତରକୁ ଅତି ସହଜରେ ଆଉ କମ ସମୟରେ ମଧ୍ୟ ଏହା ଯାଇ କୌଣସି ଅଘଟଣକୁ ମୁକାବିଲା କରି ପାରିବ। କିନ୍ତୁ ଏବେ କାହିଁକି ଏହା ସାତପଡାରେ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ମେରାଇନ ଥାନା କର୍ମଚାରୀଙ୍କ ପାଇଁ ଥାନା ପରିସରରେ ଗୃହ ନିର୍ମାଣ ହୋଇଛି। କିନ୍ତୁ ବୋଟ କର୍ମଚାରୀ ଏବେ ସାତପଡ଼ାରେ ରହୁଛନ୍ତି।

ସମ୍ବନ୍ଧିତ ଖବର