ବ୍ରହ୍ମପୁର ଏସିଡ୍‌ ମାଡ଼ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା

କଟକ : ଏସିଡ୍‌ ମାଡ଼ରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁର ଡିଏମ୍‌ଏଲ୍‌ଟି ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟୁଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ତାଙ୍କୁ ସର୍ଜରୀ ୩ନମ୍ବର କ୍ୟାବିନ୍‌ରେ ରଖାଯାଇଛି ଓ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଚଳାଇଛନ୍ତି।

ଆଜି ପୀଡ଼ିତାଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି କଟକ ଜିଲ୍ଲା ଜଜ୍‌ ତଥା ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣର ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର। ତାଙ୍କର ସମସ୍ତ ଚିକିତ୍ସା ମାଗଣାରେ କରାଯାଉଥିବା ସେ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଲାଣି। ଖୁବ୍‌ଶୀଘ୍ର ସେ ସୁସ୍ଥ ହେଲାପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କର ଥଇଥାନ ଉପରେ ଆଇନ୍‌ ସେବା ପ୍ରାଧିକରଣ ପଦକ୍ଷେପ ନେବ। ବ୍ରହ୍ମପୁର ଆଇନ୍‌ସେବା ପ୍ରାଧିକରଣ ଓ କଟକ ଆଇନ୍‌ସେବା ପ୍ରାଧିକରଣ ମିଳିତ ସହଯୋଗରେ ପୀଡ଼ିତାଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାର ଜଣେ ମହିଳା ଅଧିକାରୀ ଏସ୍‌ସିବି ମେଡିକାଲ୍‌ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି। ପୀଡ଼ିତାଙ୍କ ଚିକିତ୍ସା ପାଇଁ ସର୍ଜରୀ, ପ୍ଲାଷ୍ଟିକ୍‌ ସର୍ଜରୀ, ଚକ୍ଷୁ ବିଭାଗ ଡାକ୍ତରଙ୍କୁ ନେଇ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିବା ସୂଚନା ଦିଆଯାଇଛି।

ପୀଡ଼ିତାଙ୍କ ଶରୀରର ମୁହଁ, ହାତ, ଛାତିର କେତେକ ଅଂଶ ପୋଡ଼ିଯାଇଛି। ପ୍ରାୟ ୨୦ ପ୍ରତିଶତ ପୋଡି ହୋଇଥିବାରୁ ସେ ସୁସ୍ଥ ହୋଇଯିବେ ବୋଲି ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର ଆଶା ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କ ମାନସିକ ସ୍ଥିତି ମଧ୍ୟ ପୂର୍ବାପେକ୍ଷା ଭଲ ଅଛି। ସର୍ଜରୀ, ପ୍ଲାଷ୍ଟିକ୍‌ ସର୍ଜରୀ, ଚକ୍ଷୁ ବିଭାଗର ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବା ସେ ସୂଚନା ଦେଇଛନ୍ତି।

ଦୋଷୀକୁ ତୁରନ୍ତ ଦଣ୍ଡ ଦେବାକୁ ପୀଡ଼ିତାଙ୍କ ବାପା ଦାବି କରିଛନ୍ତି। ଅପରାହ୍ନରେ ସମାଜସେବୀ ଲିଙ୍କନ ସୁବୁଦ୍ଧି ଓ ମହିଳା କମିସନର ପୂର୍ବତନ ଅଧ୍ୟକ୍ଷା ନମ୍ରତା ଚଢା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ଅଭିଯୁକ୍ତ ସ୍ୱାମୀକୁ ଧରିବାକୁ ଦୁଇଟି ଟିମ୍‌ର ଚଢ଼ଉ

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ ଲ୍ୟାବ୍‌ ବାହାରେ ଗତକାଲି ଡିଏମ୍‌ଏଲ୍‌ଟି ଛାତ୍ରୀଙ୍କୁ ଏସିଡ୍‌ ମାଡ଼ ଘଟଣାର ଅଭିଯୁକ୍ତ ସଂପୃକ୍ତ ଛାତ୍ରୀଙ୍କ ସ୍ୱାମୀକୁ ଧରିବାରେ ସକ୍ଷମ ହୋଇନି ପୁଲିସ। ଅଭିଯୁକ୍ତ ନିରଂଜନ ପ୍ରଧାନକୁ ଧରିବା ପାଇଁ ପୁଲିସ ଦୁଇଟି ଟିମ୍‌ ଗଠନ କରି ଚଢ଼ାଉ ଜାରି ରଖିଛି। ନିରଂଜନ ଟ୍ରେନ୍‌ରେ ଅନ୍ୟ ରାଜ୍ୟକୁ ଚାଲି ଯାଇଥିବା ପୁଲିସ ସନ୍ଦେହ କରୁଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡ଼ିତା ଛାତ୍ରୀ ମୀନତି ପ୍ରଧାନଙ୍କୁ ୧ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଡିଏଲ୍‌ଏସ୍‌ଏ ସଚିବ ଗୁଣ୍ଡିଚା ସାମନ୍ତସିଂହାର ସୂଚନା ଦେଇଛନ୍ତି।

ଘଟଣା ଘଟାଇବା ପରେ ନିରଂଜନ କଲେଜ ସମ୍ମୁଖରେ ରଖିଥିବା ବାଇକ୍‌ରେ ଚମ୍ପଟ ମାରିଥିଲା। ସେ ଷ୍ଟେସନ୍‌ ଯାଇ ସେଠାରୁ ଟ୍ରେନ୍‌ରେ ଅନ୍ୟ ରାଜ୍ୟକୁ ଚାଲି ଯାଇଥିବା ପୁଲିସ ସନ୍ଦେହ କରୁଛି। ଅଭିଯୁକ୍ତର ମୋବାଇଲ ଟ୍ରାକ୍‌ କରୁଛି। ହେଲେ ମୋବାଇଲ ସ୍ୱିଚ୍‌ ଅଫ୍‌ ରହିଛି। ଫଳରେ ନିରଂଜନର ଲୋକେସନ୍‌ ଟ୍ରାକ୍‌ କରିବାରେ ପୁଲିସକୁ ଅସୁବିଧା ହେଉଛି। ଗତକାଲି ରାତିରେ ଏକ ଟିମ୍‌ ପୋଲସରା ଯାଇ ତଦନ୍ତ କରି ଫେରିଛି। ଏଏସ୍‌ପି ଶାନ୍ତନୁ ଦାଶଙ୍କ ନେତୃତ୍ୱରେ ଉଭୟ ଟିମ୍‌ ତଦନ୍ତ ଜାରି ରଖିଛି। ସେପଟେ ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଡିଏଲ୍‌ଏସ୍‌ଏ ସଚିବ ସୂଚନା ଦେଇଛନ୍ତି। ଗତକାଲି ଏମ୍‌କେସିଜି ମେଡିକାଲରେ ପୁଲିସ ଉପସ୍ଥିତିରେ ଡାକ୍ତର ମୀନତିଙ୍କ ବୟାନ ରେକର୍ଡ କରିଥିଲେ। ସ୍ୱାମୀ ନିରଂଜନ ପାରିବାରିକ ଅଶାନ୍ତି କାରଣରୁ କ୍ଲାସ୍‌ରୁମ୍‌ରୁ ଡାକି ଏସିଡ୍‌ ଢାଳିଥିବା ଛାତ୍ରୀଜଣକ ବୟାନ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର