ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଆଉ ୪ଦିନ, ଖୋଲିଛି ୨୫ ରଥ, ୮୦ କଳାକୁଞ୍ଜ

ଲଣ୍ଡାବେଶ ପରିକ୍ରମା କଲା ସହର

ବ୍ରହ୍ମପୁର: ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଆଉ ମାତ୍ର ୪ଦିନ ବାକି ରହିଛି। ଚଳିତବର୍ଷ ଯାତ୍ରାରେ ମୋଟ ୨୫ଟି ରଥ ଓ ୮୦ଟି କଳାକୁଞ୍ଜ ଉନ୍ମୋଚନ କରାଯାଇଛି। ୩୨ଦିନ ଧରି ଅନୁଷ୍ଠିତ ହେଉଥିବା ଯାତ୍ରାର ୨୮ଦିନ ଓ ଘଟ ପରିକ୍ରମାର ୨୫ଦିନରେ ଖାସ୍ପାସାହିର ହରିଅର୍ଜ୍ଜୁନ, ନୃସି˚ହମନ୍ଦିର ସାହିରେ ରାମଚନ୍ଦ୍ର, ଚନ୍ଦ୍ରଶେଖର ଦେଉଳ ସାହିରେ ହନୁମାନ, ଶଙ୍ଖାରୀ ସାହିରେ ମହାବୀର ଲକ୍ଷ୍ମଣ, ଜେମାଦେଇପେଣ୍ଠ ସାହିରେ ଜଗନ୍ନାଥ ଓ ପୁରୁଣା ବ୍ରହ୍ମପୁରରେ ମହାବୀର କର୍ଣ୍ଣ ରଥ ଉନ୍ମୋଚିତ ହୋଇଛି। ଆଜି ସ˚ଧ୍ୟା ଆଳତୀ ପରେ ରାତି ସାଢେ଼ ୮ରେ ମା’ଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ରାଜବାଟୀ ଅଭିମୁଖେ ଯାଇଥିଲା। ସେଠାରେ ସମସ୍ତ ପ୍ରକାର ଦେବନୀତି ପରେ ମହୁରୀ ରାଜା ବଜାର, ବଡ଼ବଜାର ହୋଇ ଖାସ୍ପା ସାହି ପରିକ୍ରମା କରି ନୃସିଂହମନ୍ଦିର ସାହିଠାରେ ହରିଅର୍ଜ୍ଜୁନ ରଥକୁ ଉନ୍ମୋଚିତ କରାଯାଇଥିଲା। କେଉଁଟ ସାହିରେ ଶ୍ରୀରାମଚନ୍ଦ୍ର ରଥ, ଚନ୍ଦ୍ରଶେଖର ଦେଉଳ ସାହିରେ ହନୁମାନ, ଶଙ୍ଖାରୀ ସାହିରେ ବୀର ଲକ୍ଷ୍ମଣ, ଜେମାଦେଇପେଣ୍ଠ ସାହିରେ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶ ରଥ ସହିତ ବିଞ୍ଛଣା ଓ କଳାକଞ୍ଜକୁ ଉନ୍ମୋଚିତ କରି ସେଠାରୁ ପୁରୁଣା ବ୍ରହ୍ମପୁର ସାହି ଠାରେ ମହାବୀର କର୍ଣ୍ଣ ରଥକୁ ଉନ୍ମୋଚିତ କରିଥି‌ଲେ। ପୁଣି ସମସ୍ତ ସାହି ହୋଇ ଖାସ୍ପାସାହି ଦେଇ ବଡ଼ବଜାର ଓ ନଡ଼ିଆ ବଜାର ହୋଇ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ମନ୍ଦିରରେ ମା’ ପ୍ରବେଶ କରିଥିଲେ। ଆଜିର ମୁଖ୍ୟ ଘଟକୁ ଦେଶୀ ବେହେରାଙ୍କ ପତ୍ନୀ ପି.ଦେବକୀ ବହନ କରିଥିବା ବେଳେ ଅନ୍ୟ ୮ଟି ପାର୍ଶ୍ବ ଘଟକୁ ଡେରା ସ˚ପ୍ରଦାୟର ମହିଳାମାନେ ବହନ କରିଥିଲେ। ଏହି ଅବସରରେ ଅସ୍ଥାୟୀ ମନ୍ଦିରରେ ଆଜି ବ୍ରହ୍ମପୁର ଆକାଶବାଣୀ କାର୍ଯ୍ୟକ୍ରମ ମୁଖ୍ୟ ଡ. ହୃଷୀକେଶ ପାଣିଗ୍ରାହୀଙ୍କ ରଚିତ ‘ଠାକୁରାଣୀ ଯାତ୍ରା’ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏଥିରେ ଅତିଥି ଭାବେ ଖଡ଼ିଆଳ ରାଜା ଡ. ଜିତାମିତ୍ର ପ୍ରସାଦ ସିଂହଦେଓ ଏବଂ ରାଣୀ ରାଜଶ୍ରୀ ଦେବୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର