ବ୍ରହ୍ମପୁରରେ କିଏ ହେବ ବିଜେଡିର ପ୍ରାର୍ଥୀ ? : ସୁପ୍ରିମୋଙ୍କୁ ଭେଟି ଲୋକସଭା ଟିକେଟ ମାଗିଲେ ଚନ୍ଦ୍ରଶେଖର, ରେସ୍‌ରେ ପାରଳା ରାଣୀ କଲ୍ୟାଣୀ ଦେବୀ

ଭୁବନେଶ୍ୱର : ବ୍ରହ୍ମପୁରରେ କିଏ ହେବ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀ । ସାଂସଦ ଟିକେଟ୍ ପାଇଁ ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ ଏବଂ ପାରଳା ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ନାଁ ଚର୍ଚା ହେଉଛି । ସେହିପରି ବିଧାନସଭା ପାଇଁ ରେସ୍‌ରେ ରହିଛି ୫ ଥରର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଏବଂ କଂଗ୍ରେସରୁ ବିଜେଡି ଆସିଥିବା ଯୁବ ନେତା ବିକ୍ରମ ପଣ୍ଡାଙ୍କ ନାଁ । ଆଜି ନବୀନ ନିବାସ ଆସି ଟିକେଟ୍ ଲବି କରିଛନ୍ତି ସମସ୍ତ ନେତା ।

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଥିବା ବ୍ରହ୍ମପୁର ଲୋକସଭା ଆସନରେ ଏଥର ବିଜେଡିର ନୂଆ ମୁହଁ ଦେଖିବାକୁ ମିଳିପାରେ । ନବୀନ ନିବାସରେ ଦଳୀୟ ସୁପ୍ରିମୋଙ୍କୁ ଭେଟି ଟିକେଟ୍ ଲବି କରିଛନ୍ତି ବରିଷ୍ଠ ନେତା ଚନ୍ଦ୍ର ଶେଖର ସାହୁ । କଂଗ୍ରେସ ଦଳରୁ ମନ୍ତ୍ରୀ ହେବା ପରେ ବିଜେଡିରେ ଯୋଗ ଦେଇଥିବା ଏହି ଟାଣୁଆ ନେତା ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ଦାବିଦାର ଅଛନ୍ତି । ତେବେ ଚନ୍ଦ୍ରଶେଖରଙ୍କ ସହ ରେସରେ ଅଛନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ । ନିକଟରେ ବିଜେଡିରେ ମିଶିଛନ୍ତି ପାରଳା ରାଜା ଗୋପିନାଥ ଗଜପତିଙ୍କ ଝିଅ କଲ୍ୟାଣ ଦେବୀ । ଚର୍ଚା ହେଉଛି ବିଜେଡିର ୩୩ ପ୍ରତିଶତ ମହିଳାଙ୍କ ମଧ୍ୟରେ ରହିଛନ୍ତି କଲ୍ୟାଣୀ ।

ବ୍ରହ୍ମପୁର ବିଧାନସଭା ଟିକେଟ୍ ରେସରେ ଦୁଇ ଦୁଇ ଜଣ ଦାବିଦାର । ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ବିକ୍ରମ ପଣ୍ଡା । ବୟସ ଅଧିକ ହେଲେ ବି ସାମର୍ଥ୍ୟ ଥିବା ଦାବି କରି ପୁଣି ଟିକେଟ୍ ଆଶାୟୀ ଅଛନ୍ତି ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ହାତ ଛାଡି ଶଙ୍ଖ ଧରିଥିବା ଯୁବ ନେତା ବିକ୍ରମ ପଣ୍ଡା ଏଥର ବିଜେଡି ଟିକେଟରୁ ବ୍ରହ୍ମପୁର ବିଧାନସଭା ମୈଦାନକୁ ଓହ୍ଲାଇବାକୁ ଅଂଟା ଭିଡିଛନ୍ତି । ନବୀନ ନିବାସ ଯାଇ ଉଭୟ ନେତା ସୁପ୍ରିମୋଙ୍କୁ ଭେଟିଛନ୍ତି । ସେପଟେ ବିକ୍ରମ ପଣ୍ଡାଙ୍କୁ ନିଜ ଜନ୍ମସ୍ଥାନ ଗଂଜାମର କବିସୂର୍ଯନଗରରୁ ବିଜେଡି ଟିକେଟ୍ ଦେବ ବୋଲି ମଧ୍ୟ ଚର୍ଚା ହେଉଛି ।

ଦେଶର ରାଜନୀତିରେ ଗୁରୁତ୍ୱପୂଣ୍ଣ ଭୂମିକା ରଖି ଆସିଥିବା ଦକ୍ଷିଣ ଓଡିଶାର ଏହି ଆସନରୁ ବିଜେଡି କାହାକୁ ଲୋକସଭା ଏବଂ ବିଧାନସଭା ଟିକେଟ୍ ଦେବ ସେନେଇ ଚର୍ଚା ଜୋର ଧରିଛି । ଚୂଡାନ୍ତ ନିଷ୍ପତି ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଟିକେଟ୍ ପାଇଁ ନବୀନ ନିବାସରେ ପହଁଚିଛନ୍ତି ଆଶାୟୀ ନେତା ।

ସମ୍ବନ୍ଧିତ ଖବର