ଭୁବନେଶ୍ବର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଚୟନ ଲାଗି ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରଫେସର୍ମାନେ ଅଗଷ୍ଟ ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଆବେଦନ କରିବା ଲାଗି କୁହାଯାଇଛି। ପ୍ରକାଶ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ କୁଳପତି ପଦ ଲାଗି ଆଗ୍ରହୀ ପ୍ରଫେସର୍ଙ୍କ ବୟସ ଅକ୍ଟୋବର ୧ ସୁଦ୍ଧା ୬୨ ବର୍ଷରୁ କମ୍ ହୋଇଥିବ। ପ୍ରାଶାସନିକ ଓ ଏକାଡେମିକ୍ କ୍ଷେତ୍ରରେ ତାଙ୍କର ଦକ୍ଷତା ଥିବ। ପ୍ରଫେସର୍ ଭାବେ ଅତି କମ୍ରେ ୧୦ବର୍ଷ ଧରି କାର୍ଯ୍ୟ କରିଥିବେ, ନହେଲେ ଦେଶର କୌଣସି ଏକ ପ୍ରମୁଖ ଗବେଷଣା ଓ ଏକାଡେମିକ୍ ଅନୁଷ୍ଠାନରେ ପ୍ରଫେସର୍ ସହ ସମକକ୍ଷ ପଦରେ ୧୦ବର୍ଷ ଧରି କାର୍ଯ୍ୟ କରିଥିବେ।
ଅଗଷ୍ଟ ୨୦ ସୁଦ୍ଧା ‘[email protected]’ରେ ଆବେଦନପତ୍ରର ୫ଟି ସଫ୍ଟ କପି ପଠାଇବାକୁ କୁହାଯାଇଛି। ଏଥିସହ ଆବେଦନପତ୍ରର ହାର୍ଡ କପି ‘ସଚିବ, ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାର, ସେକ୍ରେଟାରିଏଟ୍ ବିଲଡିଂ, ଭୁବନେଶ୍ବର’ ଠିକଣାରେ ପଠାଇପାରିବେ। ଏନ୍ଭଲପ ଉପରେ ‘ଆପ୍ଲିକେସନ ଫର୍ ଦି ପୋଷ୍ଟ ଅଫ୍ ଭାଇସ୍ ଚାନ୍ସଲର ଅଫ୍ ବ୍ରହ୍ମପୁର ୟୁନିଭର୍ସିଟି’ ଲେଖିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ପରେ ପହଞ୍ଚିଥିବା ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ। ଯଦି ଆବେଦନକାରୀଙ୍କ ବିରୋଧରେ କୌଣସି ଅଭିଯୋଗ ଥିବ, ତଦନ୍ତ ଚାଲିଥିବ, ସେନେଇ ତଥ୍ୟ ଦାଖଲ କରିବେ। ଉଚ୍ଚଶିକ୍ଷା ବିଭାଗ ୱେବ୍ସାଇଟ୍ ‘www.dheodisha.gov.in’ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍ ‘www.buodisha.edu.in’ ରେ ଆବେଦନ ଫର୍ମ ଉପଲବ୍ଧ ହେଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)