ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ : ମନୋଜ ଦାସଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ମନୋଜ ଦାସଙ୍କୁ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମ‌ାନ’ ପ୍ରଦାନ କରାଯାଇଛି। ଏହି ଅବସରରେ ଶ୍ରୀ ଦାସ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଚେତନାର ବିକାଶରେ ଦେଶର ଅବସ୍ଥାରେ ପରିବର୍ତ୍ତନ ଆସିବ।

ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆଜି ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଆକର୍ଷଣ ଥିଲେ ପଦ୍ମଶ୍ରୀ ମନୋଜ ଦାସ। ସେ ନିଜ ବକ୍ତବ୍ୟରେ ଚେତନାର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ଏଥିପାଇଁ ଆବଶ୍ୟକ ମନର ନିର୍ଜନତା, ଅନ୍ୟକୁ ସମାଲୋଚନା କରିବାରୁ ବିରତ ରହିବା ଆଦି ପରାମର୍ଶ ଦେଇଥିଲେ। ଶହେ ବର୍ଷ ପୂର୍ବେ ଲୋକେ ଚିନ୍ତାକ୍ଳିଷ୍ଟ ନଥିଲେ। କିନ୍ତୁ ବର୍ତ୍ତମାନ ଆମ ଚିନ୍ତାର ପରିସର ଆମ ଆୟତ୍ତରେ ନାହିଁ। କେବଳ ଚେତନାର ପ୍ରଗତି ଦ୍ବାରା ମଣିଷର ବିବର୍ତ୍ତନ ଘଟି ଅତିମାନବରେ ପରିଣତ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଉତ୍ସବରେ ଅନ୍ୟତମ ଅତିଥି ଭାବେ ‌ଯୋଗ ଦେଇଥିବା ବିଶିଷ୍ଟ ନାଟ୍ୟଗୁରୁ ନବଘନ ପରିଡ଼ାଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସେ କବିସମ୍ରାଟ ଏବଂ କବିସୂର୍ଯ୍ୟଙ୍କ ଅମର କୃତୀ ଉପରେ ଆଲୋକପାତ କରିବା ସହ ଭକ୍ତିରୁ ଜ୍ଞାନ ମିଳେ, ତେଣୁ ପିତା, ମାତା ଏବଂ ଗୁରୁଙ୍କୁ ଭକ୍ତି କରିବାକୁ ସେ ପରାମର୍ଶ ଦେଇଥିଲେ।

କୁଳପତି ପ୍ରଫେସର ରାଜେନ୍ଦ୍ରପ୍ରସାଦ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ପିଜି କାଉନ୍‌ସିଲ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଅତିଥି ପରିଚୟ ଏବଂ କୁଳ ସଚିବ ରଂଜନ କୁମାର ବିଶ୍ବାଳ ବିବରଣୀ ପାଠ କରିଥିଲେ। ପ୍ରଫେସର ଅରୁନ୍ଧତୀ ରଥ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର