ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ, ପ୍ରତିଭା ରାୟଙ୍କୁ ପ୍ରଦାନ କରାଯିବ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ସମ୍ମାନ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆସନ୍ତାକାଲି (ଗୁରୁବାର) ୫୪ ବର୍ଷରେ ପାଦ ଥାପିବ। ଏଥି ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ଏହି ପୂରାତନ ଶିକ୍ଷାନୁଷ୍ଠାନ ୧୯୬୭ ମସିହା ଜାନୁଆରି ୨ ତାରିଖରେ ପ୍ରତିଷ୍ଠା ହୋଇଥିଲା। ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକା ପ୍ରତିଭା ରାୟ ଏବଂ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ଆଲୁମିନି (ପୁରାତନ ଛାତ୍ର ସଂସଦ) ତଥା ‘ୟୁଏନ୍‌ଓ’ର ଆସିଷ୍ଟାଣ୍ଟ ଜେନେରାଲ୍‌ ସେକ୍ରେଟାରୀ ସତ୍ୟସୁନ୍ଦର ତ୍ରିପାଠୀ ଯୋଗ ଦେବେ। ଏହି ଅବସରରେ ସାହିତ୍ୟ ସାଧନା ଲାଗି ପ୍ରଖ୍ୟାତ ସାହିତ୍ୟିକା ପ୍ରତିଭା ରାୟଙ୍କୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୧ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ସମେତ ମାନପତ୍ର ଓ ଉପଢୌକନ ମଧ୍ୟ ପ୍ରଦାନ କରାଯିବ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କ ପୌରୋହିତ୍ୟରେ ଆୟୋଜିତ ହେବାକୁ ଥିବା ସମାରୋହରେ ସାହିତ୍ୟିକ ପ୍ରଶାନ୍ତ କୁମାର ମହାନ୍ତି ଓ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ସହନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀଙ୍କୁ ମଧ୍ୟ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ। ସେହିପରି ଦେଶିଆ ନାଟକ ଗୁରୁ ନରସିଂହ ତ୍ରିପାଠୀ ଏବଂ ଆଦିବାସୀ ଚିତ୍ରକଳା ଲାଗି ଲକ୍ଷ୍ମଣ ଶବରଙ୍କୁ ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନ ପ୍ରଦାନ କରାଯିବ। ଶ୍ରୀ ତ୍ରିପାଠୀ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେଇଥିବା ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ।

ଏଥିସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶ୍ୱବିଦ୍ୟାଳୟର ୬୦ ଜଣ କୃତିଛାତ୍ର ଓ ଗବେଷକଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ରଞ୍ଜନ କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ।

ସମ୍ବନ୍ଧିତ ଖବର