ନିଯୁକ୍ତିର ତିନି ମାସରେ ବଦଳି
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କୋଟି କୋଟି ଟଙ୍କାର ଆର୍ଥିକ ଗଡ଼ବଡ଼ ହୋଇଥିବା ଅଭିଯୋଗର ସ୍ୱତନ୍ତ୍ର ଅଡିଟ୍ ପାଇଁ ନିର୍ଦେଶ ହୋଇଛି। ପ୍ରାଥମିକ ତଦନ୍ତ(ପ୍ରାଇମାଫେସି) ରିପୋର୍ଟରୁ ଅଭିଯୋଗରେ ସତ୍ୟତା ଥିବା ଜାଣିବା ପରେ ରାଜ୍ୟ ଲୋକାଲ୍ ଫଣ୍ଡ ଅଡିଟ୍ ନିର୍ଦ୍ଦେଶକ ସ୍ୱତନ୍ତ୍ର ଅଡିଟ୍ ପାଇଁ ସୋମବାର ଚିଠି ନମ୍ବର-୧୯୩୯/୧୨.୩.୨୦୧୮ରେ ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତା କାଲି ଠାରୁ ନିର୍ମଳ ଚନ୍ଦ୍ର ସ୍ୱାଇଁ(ଏ.ଏସ୍) ଓ ସୁକୁମାର ଶତପଥୀ(ଅଡିଟର୍)ଙ୍କ ନେତୃତ୍ୱରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଅଡିଟ୍ ଆରମ୍ଭ ହେବ। ହେଲେ ଏହି ଆର୍ଥିକ ଗଡ଼ବଡ଼ ସମ୍ପର୍କରେ ପ୍ରଥମେ କୁଳାଧିପତି ତଥା ରାଜ୍ୟପାଳଙ୍କ ଦୃଷ୍ଟିକୁ ଆଣିଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବ ତଥା ଭାରପ୍ରାପ୍ତ କମ୍ପଟ୍ରୋଲର୍ ଅଫ୍ ଫାଇନାନ୍ସ ଶୈଳେନ୍ଦ୍ର ଦ୍ୱିବେଦୀଙ୍କୁ ବଦଳି ସହ ରିଲିଭ୍ କରି ଦିଆଯାଇଛି। ଗତ ଡିସେମ୍ବର ପହିଲାରେ ଶ୍ରୀ ଦ୍ୱିବେଦୀ ବିଶ୍ୱବିଦ୍ୟାଳୟ କୁଳସଚିବ ଭାବେ ନିଯୁକ୍ତି ପାଇଥିଲେ। ମାତ୍ର ତିନି ମାସ ପରେ ଆଜି ହଠାତ୍ ତାଙ୍କୁ ବଦଳି ଓ ତୁରନ୍ତ ରିଲିଭ୍ କରିଦିଆ ଯାଇଛି। ସ୍ୱତନ୍ତ୍ର ଅଡ଼ିଟ୍ ଆରମ୍ଭ ହେବାର ଦିନେ ପୂର୍ବରୁ ଆଜି ଅଚାନକ ଶ୍ରୀ ଦ୍ୱିବେଦୀଙ୍କୁ ହଟାଇ ନିଆଯିବା ଘଟଣା ସବୁ ମହଲକୁ ବିସ୍ମିତ କରିଛି।