ଏସିଡ୍‌ ପକାଇ ୫ ଜଣଙ୍କୁ ଜାଳିଦେବା ଘଟଣା : ୧୮ ଜଣଙ୍କ ନାମରେ ହତ୍ୟା ମାମଲା

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ସାହାଜାନପୁର ଗାଁ ନିକଟ ସିପସରୁବାଲି ମୌଜା-୨ରେ ଜଙ୍ଗଲ ବିବାଦରୁ ଏସିଡ୍‌ ପକାଇ ୫ ଜଣଙ୍କୁ ଜାଳିଦେବା ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ତେବେ ଗିରଫ ଭୟରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି। ସେହିପରି ଘଟଣା ପରେ ପୁଲିସ କେତେକ ସଙ୍ଗୀନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଗତକାଲି ଜଣଙ୍କର ମୃତ୍ୟୁ ହେବା ପରେ ପୁଲିସ ୧୮ରୁ ଅଧିକ ଲୋକଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ପୁଲିସର ଦୁଇଟି ଟିମ୍ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା ଜଣେ ହେଲେ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇ ନ ଥିବା ସୂଚନା ମିଳିଛି। ଅଭିଯୁକ୍ତମାନଙ୍କୁ ଧରିବାରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃ୍ଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ସିପସରୁବାଲି ମୌଜା–୨ରେ ସାହାଜନାପୁର ବନ ସୁରକ୍ଷା ସମିତିର ସଦସ୍ୟ ଜଙ୍ଗଲ ସୁରକ୍ଷା ପାଇଁ ନିଜ କ୍ୟାମ୍ପରେ ଶୋଇଥିବା ବେଳେ ଚାପମାଣିକ ଗାଁର ୨୦ରୁ୨୫ଜଣ ବ୍ୟକ୍ତି ଆସି ନୃଶଂସ କାଣ୍ଡ ଘଟାଇଥିଲେ। ସେମାନେ ପେଟ୍ରୋଲ ଢ଼ାଲି ଉକ୍ତ ୫ ଜଣଙ୍କୁ ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଦୋଳ‌ ଗୋବିନ୍ଦ ମହାନ୍ତିଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଜି ସକାଳୁ ରଜନୀକାନ୍ତ ମହାନ୍ତି ଓ ରାଜେନ୍ଦ୍ର ପ୍ରଧାନଙ୍କୁ ପୁରୀରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ବି ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ନେଇ ରଜନିକାନ୍ତଙ୍କ ଭାଇ ଉମାକାନ୍ତ ମହାନ୍ତି ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର