ବ୍ରହ୍ମଗିରି: ବିଜେଡି-ବିଜେପି ମଧ୍ୟରେ ଟକ୍କର, ବିରୋଧୀ ଗଡ଼କୁ କବ୍‌ଜା ପାଇଁ ପ୍ରତିଦ୍ବନ୍ଦ୍ବିତା 

ପୁରୀ :  ନିର୍ବାଚନ ଯେତିକି ପାଖେଇ ଆସୁଛି, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ରାଜନୀତି ସେତିକି ସରଗରମ ହେଉଛି। ଏଥର ବ୍ରହ୍ମଗିରିରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପରିବାର ମଧ୍ୟରେ ମୁକାବିଲା ହେବା ନେଇ ଏବେଠୁ ସୂଚନା ମିଳିସାରିଲାଣି। ପୂର୍ବ ଭଳି ବିଧାୟକ ସଞ୍ଜୟ ଦାସବର୍ମା ବିଜେଡି ଟିକଟରେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର ହାତ ବଦଳରେ ବିଜେପି ପ୍ରା‌ର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ଏହି ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଏଥର କଡ଼ା ଟକ୍କର ହେବାକୁ ଯାଉଛି।

ତେବେ ଦଳ ଏଥର ଭୋଟରଙ୍କ ସମର୍ଥନ ହାତେଇଥିବା ଲାଗି ଭିନ୍ନ ପ୍ରକାରର ରଣନୀତି ଆପଣେଇଛନ୍ତି। ସଭା ସମିତି କରି ନିଜ ଦଳର ଲୋକଙ୍କୁ ସଂଗଠିତ କରିବା ବଦଳରେ ବିରୋଧୀ ଦଳର କର୍ମୀଙ୍କୁ ଆଣି ଦଳରେ ମିଶାଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ବ ଦେଉଛନ୍ତି ଉଭୟ ଦଳର ନେତା। କଂଗ୍ରେସ ଓ ବିଜେପିର ଗଡ଼ କୁହାଯାଉଥିବା ସାତପଡ଼ାରେ ପଶିଛି ବିଜେଡି। ସେଠାରେ ଶତାଧିକ କର୍ମୀଙ୍କୁ ବିଜେଡି ନିଜ ପାଖକୁ ଆଣିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିଜେପି ସମର୍ଥକଙ୍କୁ  ସଞ୍ଜୟ  ବିଜେଡିକୁ ଆଣି ଶଙ୍ଖ ପ୍ରତି ସମର୍ଥନ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ବିଜେଡିର ଗଡ଼ ଥିବା ଅରକୁଦାକୁ ଭାଙ୍ଗିଛି ବିଜେପି। ସେଠାରେ ପଦ୍ମଫୁଲର ହାୱା ବୁହାଇଛନ୍ତି ଲଳିତେନ୍ଦୁ।

ପୂର୍ବ ନିର୍ବାଚନର ଫଳାଫଳକୁ ଦେଖିଲେ, ସ୍ବର୍ଗତ ଲୁଲୁ ୭୭ ହଜାର ୩୩୪ ଭୋଟ ପାଇଥିବା ବେଳେ ସଞ୍ଜୟ ତାଙ୍କଠୁ ୧୬୪୮ ଖଣ୍ଡ ଅଧିକ ଭୋଟ ପାଇଁ ନିର୍ବାଚିତ ହୋଇଥିଲେ। ସଞ୍ଜୟଙ୍କୁ ମିଳିଥିଲା ୭୮ ହଜାର ୯୮୨ ଖଣ୍ଡ ଭୋଟ।  ଏଥର ଲୁଲୁଙ୍କ ଭାଇ ଦଳ ବଦଳାଇଥିଲେ ମଧ୍ୟ କଂଗ୍ରେସ ସମର୍ଥକ ତାଙ୍କ ପଛରେ ଅଛନ୍ତି। ଏଠାରେ ଅଧିକାଂଶ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍‌ ହୋଇଛନ୍ତି। ପୂର୍ବରୁ ବିଜେପି ଏଠାରେ ଦୁର୍ବଳ ଥିଲା। ୨୦୧୪ ନିର୍ବାଚନରେ ବିଜେପିକୁ ମିଳିଥିଲା ମାତ୍ର ୩୨୦୦ ଭୋଟ। ଯଦି ସେତିକି ଭୋଟ ଲଳିତେନ୍ଦୁଙ୍କ ସପକ୍ଷ‌େର ଯିବ ତେବେ ବିଜେପି ବିଜେଡି ଉପରେ ମହଙ୍ଗା ପଡ଼ିବ। ଏହା ବ୍ୟତୀତ ଏଥର ହାୱା ଦୃଷ୍ଟିରୁ ଯୁବଗୋଷ୍ଠୀ ବିଜେପି ମୁହାଁ ହୋଇଥିବା ଦେଖିବାକୁ ମିଳୁଛି।

ମାତ୍ର ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତ ହେଲା, ବ୍ରହ୍ମଗିରିରେ କଂଗ୍ରେସର ଏକ ନିର୍ଦ୍ଦିଷ୍ଟ ଭୋଟ ବ୍ୟାଙ୍କ ‌ଲଳିତେନ୍ଦୁଙ୍କ ସହ ଏଯାଏ ଆସିନାହିଁ। ଏଠାରେ ଉମାକାନ୍ତ ବରାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଉମାକାନ୍ତ କିଛି ଭୋଟ କାଟିଦେଲେ, ଲଳିତେନ୍ଦୁ ସଞ୍ଜୟଙ୍କ ସହ ମୁକାବିଲା କରିବା କଷ୍ଟକର ହେବ ବୋଲି ବିଜେଡି ସମର୍ଥକ କହୁଛନ୍ତି  । ତେବେ ବିଜେଡିର ବିଦ୍ରୋହୀଙ୍କଠାରୁ ଫାଇଦା ପାଇବାକୁ ଆଶା ରଖିଛି ବିଜେପି। ଏବେ ବିଜେଡିରୁ ସୁଧାକର ସାହୁ, ବାବୁ ସିଂ, ପ୍ରସନ୍ନ ବରାଳ ପ୍ରମୁଖ ଦୂରେଇ ଯାଇଛନ୍ତି। ଏହି ବିଦ୍ରୋହୀଙ୍କ ସମେତ ମିଶନ ଶକ୍ତିର କିଛି ମହିଳାଙ୍କ ସମର୍ଥନ ବିଜେପି ହାତେଇଥିବା ଦାବି କରୁଛି । ତେଣୁ ବିଜେଡିକୁ ମୁହଁତୋଡ଼ ଜବାବ୍‌ ଦେବା ପାଇଁ ଲଳିତେନ୍ଦୁ ପ୍ରସ୍ତୁତ ରହିଥିବା ସମର୍ଥକମାନେ କହୁଛନ୍ତି।

ହେଲେ ବିଜେଡି ସମର୍ଥକମାନେ ଏଥିରେ ସହମତ ନୁହନ୍ତି। ବିଜେଡି ଏଥର ଅଧିକ ଭୋଟରେ ଜିତିବ ବୋଲି ସେମାନେ ଦାବି କରୁଛନ୍ତି। ବିଜେପି କିଛି ପ୍ରଭାବ ପକାଇପାରିବ ନାହିଁ ବୋଲି ସେମାନେ କହୁଛନ୍ତି। ବିଜେଡି ସମର୍ଥକଙ୍କ କହିବା କଥା ହେଉଛି, ବିଜେଡି ଛାଡ଼ିଥିବା ନେତାମାନେ ଲୋକଙ୍କୁ ହଇରାଣ କରୁଥିଲେ। ସେମାନଙ୍କୁ ଭୋଟର ପସନ୍ଦ କରନ୍ତି ନାହିଁ। ଏହା ବ୍ୟତୀତ ସାତପଡ଼ାରେ କଂଗ୍ରେସ କର୍ମୀ ଏବେ ବିଜେଡି ସହ ସାମିଲ୍‌ ହୋଇଛନ୍ତି। କଂଗ୍ରେସର ଭୋଟ ବ୍ୟାଙ୍କ ଥିବା ଭଗବାନପୁର ଓ ଅନ୍ୟ ମୁସଲମାନ ବସତିର ଅନେକ ଭୋଟର ଏବେ ବିଜେଡିକୁ ସମର୍ଥନ କରୁଥିବାରୁ ବିଜେପି ପଛରେ ପଡ଼ିଯିବ ବୋଲି ବିଜେଡି ସମର୍ଥକ ଦାବି କରୁଛନ୍ତି।  ବିଜେଡି ତାର ସମର୍ଥକ ବୃଦ୍ଧି କରିବାରେ ସକ୍ଷମ ହୋଇଛି। ଏହାବ୍ୟତୀତ ବିଜେଡି ଏବେ ଗାଁ ଗାଁରେ ବୁଲି ବୈଠକ ଆରମ୍ଭ କରିଛି। ବିଜେପିକୁ ପ୍ରତିରୋଧ କରିବା ପାଇଁ ବିଜେଡିର ଆୟୁଧ ହେଉଛି ଗତ ଥର ଭଳି ଭୋଟ ପୂର୍ବଦିନ ଲୋକଙ୍କ ସହ ମିଶିବା। ଏହି ଆୟୁଧ ଧରି ସଞ୍ଜୟ ଏଥର ପାର୍ ହେବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଆୟୁଧକୁ ବିଜେପି କାଟିବାକୁ ଜାଲ ବିଛାଇଥିବା ବିଜେପି ସମର୍ଥକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର