ଦେଶରେ ତୃତୀୟ ଶ୍ରେଷ୍ଠ ବ୍ୟୁରୋକ୍ରାଟ୍‌ ପ୍ରମୋଦ ମିଶ୍ର

ସମ୍ବଲପୁର :ବରିଷ୍ଠ ଆଇଏଏସ୍‌ ତଥା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅତିରିକ୍ତ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ସଦ୍ୟତମ ସଂସ୍କରଣରେ ଦେଶର ପ୍ରଭାବଶାଳୀ ୧୦ ଜଣ ବ୍ୟକ୍ତିତ୍ୱଙ୍କ ନାମ ପ୍ରକାଶ ପାଇଛି। ଏହି ଶ୍ରେଷ୍ଠ ୧୦ ଓଜନଦାର ବ୍ୟୁରୋକ୍ରାଟ୍‌ ମାନଙ୍କ ମଧ୍ୟରେ ଡ. ମିଶ୍ର ରହିଛନ୍ତି। ଇଣ୍ଡିଆ ଟୁଡ଼େର ଏହି ତାଲିକାରେ ପ୍ରଥମ ଦୁଇଟି ସ୍ଥାନରେ ଯଥାକ୍ରମେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ସଚିବ ନ୍ରିପେନ୍ଦ୍ର ମିଶ୍ର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରହିଥିବା ବେଳେ ପ୍ରମୋଦ ମିଶ୍ର ତୃତୀୟ ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟୁରୋକ୍ରେଟ ବିବେଚିତ ହୋଇଛନ୍ତି।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଥିବା ଡ. ମିଶ୍ର ନିଜର ସ୍ୱଭାବସୁଲଭ ଦକ୍ଷତା ଓ ନିରାଡ଼ମ୍ବର ଶୈଳୀର ପ୍ରଶାସନ ସକାଶେ ସେହି ବିଶ୍ୱାସ ଅତୁଟ ରଖିଛନ୍ତି। ଭାରତ ସରକାରଙ୍କ ରାଷ୍ଟ୍ରୀୟ ଉଦ୍ୟୋଗ, ବ୍ୟାକିଂ କ୍ଷେତ୍ର. ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କ୍ଷେତ୍ରରେ ଡ. ମିଶ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଏବଂ ଏ କ୍ଷେତ୍ରରେ ସ୍ୱଚ୍ଛତା ନୀତିକୁ କାର୍ଯ୍ୟକାରୀ କରିଥିବା ସର୍ଭେରେ ଉଲ୍ଲେଖ ରହିଛି। ଏପରିକି ପଦ୍ମ ପୁରସ୍କାର ଚୟନ ପ୍ରକ୍ରିୟାକୁ ଉନ୍ମୁକ୍ତ କରିବା ସହିତ ପ୍ରତିଭାକୁ ଗୁରୁତ୍ୱ ଦେଇ ନୂଆ ପ୍ରେରଣା ଆଣିବାରେ ଡ. ମିଶ୍ରଙ୍କ ଭୂମିକା ରହିଥିବା କୁହାଯାଉଛି। ସମ୍ବଲପୁର ପଟ୍ଟନାୟକପଡ଼ାର ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ରଙ୍କ ପୁତ୍ର ଡ. ମିଶ୍ର ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲ, ଗଙ୍ଗାଧର ମେହେର କଲେଜର ଅତ୍ୟନ୍ତ ମେଧାବୀ ଛାତ୍ର ଭାବେ ସୁନାମ ଅର୍ଜନ କରି ଦିଲ୍ଲୀ ଏବଂ ଲଣ୍ଡନରେ ଅର୍ଥନୀତିରେ ଉଚ୍ଚତର ଶିକ୍ଷା ଲାଭକରି ବ୍ରିଟେନ୍‌ରୁ ଅର୍ଥନୀତିରେ ପିଏଚଡ଼ି ହାସଲ କରିଥିଲେ। ଗୁଜୁରାଟ କ୍ୟାଡ଼ରର ଆଇଏଏସ୍‌ ଡ. ପ୍ରମୋଦ କୁମାର ମିଶ୍ର ଗୁଜୁରାଟ ଭୂମିକମ୍ପ ପରେ ପୁର୍ନନିର୍ମାଣ ଓ ଉଦ୍ଧାର କାର୍ଯ୍ୟ ସହିତ ବିଭିନ୍ନ ଉଦ୍ୟୋଗକୁ ପୁନରୁଦ୍ଧାର ଏବଂ ଲାଭପ୍ରଦ କରିବା କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହିତ କେନ୍ଦ୍ର ସରକାରଙ୍କ କୃଷି ସଚିବ ଭାବରେ ସଫଳତାର ସହ ୪ ବର୍ଷ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର