ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା : ଗାଁ ପାଖ ଜଙ୍ଗଲରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ଶବ

ବେତନଟୀରେ ତୀବ୍ର ଉତ୍ତେଜନା; ଅଭିଯୁକ୍ତ ଯୁବକ ଗିରଫ, ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବେତନଟୀ : ଆଇନ ବଦଳିଲା। ତ୍ୱରିତ ବିଚାର ଓ କଠୋର ଦଣ୍ଡବିଧାନର ବ୍ୟବସ୍ଥା ହେଲା। ନାବାଳିକାଙ୍କ ସୁରକ୍ଷା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଗାଁ ଗାଁରେ ପରୀ ରଥ ବି ବୁଲିଲା। କିନ୍ତୁ ଏତେସବୁ ପଦକ୍ଷେପ ସତ୍ତ୍ୱେ ଘୃଣ୍ୟ ମାନସିକତା ବଦଳୁନି। ସତେ ଯେମିତି କିଛି ମଣିଷଙ୍କ ଉପରେ ସବାର ହୋଇଛି ସୈତାନ, ଯେଉଁମାନେ ବାଛି ବାଛି ଟାର୍ଗେଟ କରୁଛନ୍ତି କୁନି କୁନି ପରୀଙ୍କୁ। ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ଏହିଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

ଘଟଣା ଅନୁସାରେ, ଜଣେ ୮ ବର୍ଷର ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରିଛି ଜଣେ ଯୁବକ। ବେତନଟୀ ଥାନା ଅଧୀନ ଗରୁଡବସା ଗ୍ରାମର ଏହି ଆଦିବାସୀ ନାବାଳିକା ଜଣକ ୪ର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲା। ଗତକାଲି ସକାଳେ ସେହି ଗ୍ରାମର ଯାମିନୀ ମହାନ୍ତ(୨୫) ନାମକ ଜଣେ ଯୁବକ ନାବାଳିକାକୁ ରଜ ଉତ୍ସବ ଦେଖାଇବ କହି ସେ ଖେଳୁଥିବା ସ୍ଥାନରୁ ସାଇକେଲରେ ବସାଇ ନେଇ ଯାଇଥିଲା । ଏହାପରେ ତାକୁ ଦୁଷ୍କର୍ମ କରିବା ସହିତ ପଥରରେ ଛେଚି ହତ୍ୟା କରିଥିଲା।

ଆଜି ସକାଳେ ନାବାଳିକାକୁ ହତ୍ୟା କରାଯାଇଥିବା ଖବର ପ୍ରଚାର ହୋଇଯିବା ପରେ ଆଖପାଖ ଆଦିବାସୀ ଗ୍ରାମଗୁଡିକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଖପାଖ ଅଞ୍ଚଳରୁ ହଜାରେରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ହାତରେ ଧନୁତୀର, ତେଣ୍ଟା, ବର୍ଚ୍ଛା, ଠେଙ୍ଗା ଆଦି ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଙ୍ଗଲରେ ପଶି ଖୋଜାଖୋଜି କରିବା ପରେ ଏକ ଖଜୁରୀ ଗଛ ନିକଟରୁ ନାବାଳିକାର ରକ୍ତ ଜୁଡୁବୁଡୁ ମୃତ ଶରୀର ମିଳିଥିଲା। ଝିଅଟିର ମୁହଁରେ ଓ ଶରୀରରେ ପଥର କିମ୍ବା କୌଣସି ଭାରି ଜିନିଷରେ ଆଘାତର ଚିହ୍ନ ଥିବା ବେଳେ ସେ ପିନ୍ଧିଥିବା ପୋଷାକରେ ରକ୍ତ ଦାଗ ଥିବା ଦେଖାଯାଇଥିଲା । ଏହା ଦେଖିବା ପରେ ଗ୍ରାମବାସୀମାନେ ଆହୁରି ଉତ୍ତେଜିତ ହୋଇ ପଡିଥିଲେ । ଖବର ପାଇ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଧନୁତୀର ଧରି ଶହ ଶହ ଆଦିବାସୀ ଏକତ୍ରିତ ହେବାରୁ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ବାରିପଦା ପଠାଇ ଦେଇଛି।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ନାବାଳିକାର ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି ଏବଂ ତୁରନ୍ତ ତଦନ୍ତ ପ୍ରକ୍ରିୟା ସାରିବାକୁ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ଅପରାଧୀକୁ କଠୋର ସଜା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର