ଏସ୍‌ସିବିରେ ଭଦ୍ରକର କରୋନା ଆକ୍ରାନ୍ତ : ସ୍ବାସ୍ଥ୍ୟାବସ୍ଥା ସ୍ଥିର, ପରିସର ଖାଁ ଖାଁ

ଫଟୋ ଭାଇରାଲ୍‌ କରି ୩ ଗିରଫ

କଟକ : ଭଦ୍ରକର କରୋନା ଆକ୍ରାନ୍ତ ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)ରେ ଭର୍ତ୍ତି କରାଯାଇଛି। ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡର ଏକ କ୍ୟାବିନ୍‌ରେ ତାଙ୍କୁ ଏକାନ୍ତବାସରେ ରଖାଯାଇଛି। ତାଙ୍କ ଅବସ୍ଥା ଭଲ ଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦୁବାଇରୁ ଫେରିଥିବା ଉକ୍ତ ଯୁବକଙ୍କ ନମୁନା କରୋନା ପଜିଟିଭ ବାହିରିବା ପରେ ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଏସ୍‌ସିବିକୁ ଅଣାଯାଇଥିଲା। ତେବେ ଏସ୍‌ସିବିରେ ଏହି ପ୍ରଥମ କରୋନା ଆକ୍ରାନ୍ତ ଭର୍ତ୍ତି ହେବାପରେ ଏସ୍‌ସିବି ପରିସରକୁ ଆଉ ଅଧିକ ଲୋକ ଆସୁ ନ ଥିବା ଦେଖାଯାଇଛି। ଆଖପାଖ ଅଞ୍ଚଳରେ ମଧ୍ୟ ଲୋକେ ଆଶଙ୍କିତ ହୋଇ ପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୭ ଜଣ ଆସିଥିବା ଜଣାପଡିଛି।

ଫଟୋ ଭାଇରାଲ୍‌ କରି ୩ ଗିରଫ
ଭଦ୍ରକ : ସୋସିଆଲ୍‌ ମିଡିଆରେ କରୋନା ସଂକ୍ରମିତ ଯୁବକଙ୍କ ଫଟୋ ଭାଇରାଲ ସହିତ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବାରୁ ଭଦ୍ରକ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ରାଜ୍ୟର ଚତୁର୍ଥ କରୋନା ସଂକ୍ରମିତ ଯୁବକଙ୍କ ଘର ଭଦ୍ରକ ବୋଲି ଜଣାପଡିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା। ଭଦ୍ରକରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ କରୋନା ସଂକ୍ରମିତ ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ ସୂଚନା ପ୍ରକାଶ ନ କରିବା ପାଇଁ ସରକାରଙ୍କର ନିୟମ ଓ ନିର୍ଦ୍ଦେଶ ଥିବା ବେଳେ ଭଦ୍ରକର କିଛି ଯୁବକ ସମ୍ପୃକ୍ତ ଯୁବକଙ୍କ ଫଟୋ ଓ କିଛି ଆପତ୍ତିଜନକ ମନ୍ତବ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଭଦ୍ରକ ଏସ୍‌ପି ରାଜେଶ କୁମାର ପଣ୍ଡିତଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍ ଥାନା ଆଇଆଇସି ଆଜି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ଯୁବକ ଓ ଜଣେ ଯୁବତୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର