ଅର୍ଜୁନଙ୍କ ପରେ ଯୁଗଳଙ୍କ ଟିକେଟ କଟିଲା

ଧାମନଗର ବିଜେଡି ଅଙ୍କ ଛିଡ଼ୁନି, କଂଗ୍ରେସ ତାଲିକା‌େର ୩ ନୂଆ ମୁହଁ, ଲୋକସଭା ପ୍ରାର୍ଥୀ ଘୋଷଣା କରିନି ବିଜେପି

ଭଦ୍ରକ : ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଭଦ୍ରକ ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣାକୁ ନେଇ କସରତ ଲାଗି ରହିଥିବା ବେଳେ ଆଜି ଅପରାହ୍ନରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ଦଳୀୟ ପ୍ରାର୍ଥୀ ଭାବେ ବିଜେଡିର ଯୁବନେତା ସଂଜୀବ ମଲ୍ଲିକଙ୍କ ନାମ ‌ଘୋଷଣା କରିଛନ୍ତି। ସଂଜୀବ ହେଉଛନ୍ତି ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ପୁତ୍ର ଓ ପୂର୍ବତନ ବିଧାୟକ ସ୍ବର୍ଗତ ମାନସ ମଲ୍ଲିକଙ୍କ ସାନ ଭାଇ। ଏହାଫଳରେ ଭଦ୍ରକର ପ୍ରବୀଣ ରାଜନେତା ଯୁଗଳ କିଶୋର ପଟ୍ଟନାୟକ ଏବଂ ତାଙ୍କ ପୁଅ ଅସିତ ପଟ୍ଟନାୟକ (ବୁଲୁ)ଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି।

୨୦୧୪ ସାଧାରଣ ନିର୍ବାଚନରେ ଯୁଗଳ ଏଇ ଆସନରୁ ୨୪ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ବାର ବିଜୟୀ ହୋଇଥିଲେ। ତେବେ ଯୁଗଳଙ୍କର ବୟସ ଅଧିକ ହୋଇଥିବାରୁ ଏବଂ ସ୍ବାସ୍ଥ୍ୟଗତ କାରଣ ପାଇଁ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ବେଳେ ନିଜ ପୁଅ ବୁଲୁଙ୍କୁ ଦଳୀୟ ଟିକଟ ଦିଆଯାଉ ବୋଲି ଅନୁରୋଧ କରିଥିଲେ। ଏହାକୁ ନେଇ ବୁଲୁଙ୍କ ସମର୍ଥକମାନେ ଆଶା ବାନ୍ଧି ବସିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ଶେଷରେ ଆଜି ଭଦ୍ରକ ଆସନ ପାଇଁ ସଂଜୀବ ମଲ୍ଲିକଙ୍କ ନାମ ଘୋଷଣା କରିଥିବାରୁ ଯୁଗଳ ଓ ବୁଲୁଙ୍କ ଶିବିରରେ ନୈରାଶ୍ୟ ଖେଳି ଯାଇଛି। ଅନ୍ୟପଟରେ ସଂଜୀବ ଧରିଥିବାରୁ ତାଙ୍କ ସମର୍ଥକ ବାଣ ଫୁଟାଇ ବେଶ୍ ଉଲ୍ଲସିତ ହୋଇଛନ୍ତି।

ଉଲ୍ଲେଖ କରିବାର ବିଷୟ ହେଲା, ଏଥର ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାରୁ ତିନି ବରିଷ୍ଠ ନେତା ସାଂସଦ ଅର୍ଜୁନ ଚରଣ ସେଠୀ, ବିଧା‌ୟକ ଯୁଗଳ କିଶୋର ପଟ୍ଟନାୟକ ଓ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ନିର୍ବାଚନରୁ ଅନ୍ତର କରିଛନ୍ତି। ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଂଜୁଲତା ମଣ୍ଡଳଙ୍କ ନାମ ଦୁଇ ଦିନ ତଳେ ଘୋଷଣା କରିଥିଲେ। ସେହିପରି ୫ ବିଧାନସଭା କ୍ଷେତ୍ରରେ ଭଣ୍ଡାରିପୋଖରୀରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲିରେ ବ୍ୟୋମକେଶ ରାୟ, ବାସୁଦେବପୁରରେ ବିଜୟଶ୍ରୀ ରାଉତରାୟଙ୍କ ପୁତ୍ର ବିଷ୍ଣୁବ୍ରତ ରାଉତରାୟ ଓ ଆଜି ଭଦ୍ରକରେ ସଂଜୀବ ମଲ୍ଲିକଙ୍କ ନାମ ଘୋଷଣା କରିଥିବାବେଳେ କେବଳ ଧାମନଗର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କ ନାମ ଝୁଲି ରହିଛି।

ସମ୍ବନ୍ଧିତ ଖବର