ଧରମ ପୁଅର ଲୋମଟାଙ୍କୁରା ପାପ : ଝିଅକୁ ଦୁଷ୍କର୍ମ; ମା’ ଓ ବାପାଙ୍କୁ ହତ୍ୟା

ଅଭିଯୁକ୍ତ ବାବୁଆ ଭୁବନେଶ୍ୱରରୁ ଗିରଫ, ଉଭୟଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି, ଗାଁ ନିକଟରେ ଲୁଚାଇ ରଖିଛି ଶବ

ଭଦ୍ରକ/ଧାମନଗର : ଧରମ ପୁଅ ଭାବେ ଗ୍ରହଣ କରିବା ପରଠୁ ଅନାବିଳ ସ୍ନେହ ମମତା’ରେ ବାନ୍ଧି ଆପଣାର କରିଥିଲା ମା’। ମାତ୍ର ଧର୍ମର ଏହି ପବିତ୍ର ସଂପର୍କକୁ କଳଙ୍କିତ କରିଦେଲା ଧରମ ପୁଅ। ଶେଷରେ ପାପର ସବୁ ସୀମା ଟପିଗଲା। ପ୍ରଥମେ ଧରମ ବାପାକୁ ହୋଟେଲରେ ମଦ ପିଆଇ ହତ୍ୟା କଲା। ପରେ ଘରକୁ ଯାଇ ଧରମ ମା’କୁ ହତ୍ୟା କରିବା ସହ ତାଙ୍କ ଝିଅକୁ ଦୁଷ୍କର୍ମ କରି ଫେରାର ହୋଇଗଲା। ଏଭଳି ଏକ ଲୋମଟାଙ୍କୁରା ଜଘନ୍ୟ କାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଅଂଚଳରେ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଭଦ୍ରକ ପୁଲିସ ତନାଘନା ତଦନ୍ତ କରି ଆଜି ରାତିରେ ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍‌ ବାବୁଆକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିିଛି। ସେ କେବଳ ତା’ର ଧରମ ମା’ ନୁହେଁ, ଧରମ ବାପକୁ ମଧ୍ୟ ହତ୍ୟା କରି ଗାଁ ନିକଟରେ ଶବ ଲୁଚାଇ ରଖିଥିବା ସ୍ୱୀକାର କରିଛି ବୋଲି ଭଦ୍ରକ ଏସ୍‌ପି ବାତୁଲ ଗଙ୍ଗାଧର ସୂଚନା ଦେଇଛନ୍ତି।

ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମର ରବୀନ୍ଦ୍ର ବେହୁରିଆ ଓ କୁଳମଣି ମହାନ୍ତିଙ୍କ ପରିବାର ମଧ୍ୟରେ ଉତ୍ତମ ସଂପର୍କ ଥିଲା। ତେଣୁ କୁଳମଣିଙ୍କ ପୁଅ ଗୋପୀନାଥ(ବାବୁଆ) ଅଧିକାଂଶ ସମୟରେ ରବୀନ୍ଦ୍ରଙ୍କ ଘରକୁ ଯିବା ଆସିବା କରୁଥିଲା । ସଂପର୍କ ଅଧିକ ଘନିଷ୍ଠ ହେବାରୁ ରବୀନ୍ଦ୍ରଙ୍କ ସ୍ତ୍ରୀ ଭକ୍ତିଲତା ଗୋପୀନାଥକୁ ଧରମ ପୁଅ କରିଥିଲେ। ବେଶ୍‌ କିଛି ବର୍ଷ ହେଲା ଉଭୟ ପରିବାର ମଧ୍ୟରେ ସଂପର୍କ ଭଲ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି କାରଣ ନେଇ କୁଳମଣି ଆଉ ରବୀନ୍ଦ୍ରଙ୍କ ଘରକୁ ଆସୁନଥିଲେ। ହେଲେ ଗୋପୀନାଥ ଯିବା ଆସିବା କରୁଥିଲା। ଏହାକୁ ନେଇ କୁଳମଣି ଓ ଗୋପୀନାଥଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଭୁବନେଶ୍ୱରରେ ରହୁଥିବା ଗୋପୀନାଥ ରବୀନ୍ଦ୍ରଙ୍କ ଘରକୁ ଯିବାଆସିବା କରୁଥିଲା। ଗତ ସପ୍ତାହରେ ମଧ୍ୟ

ଗୋପୀନାଥ ରବୀନ୍ଦ୍ରଙ୍କ ଘରକୁ ଆସି ଖାଇପିଇ ଯାଇଥିଲା । ତେବେ ଗତକାଲି ଗୋପୀନାଥ ଭୁବନେଶ୍ୱରରୁ ରବୀନ୍ଦ୍ରଙ୍କୁ ଫୋନ କରି କହିଥିଲା ଯେ ତମେ ବାରିକପୁରରେ ଥିବ, ମୁଁ ଭୁବନେଶ୍ୱରରୁ ଯାଉଛି। ପହଞ୍ଚିଲେ ଏକ ଭୋଜିକୁ ଯିବା। ଏ ନେଇ ରବୀନ୍ଦ୍ର ମଧ୍ୟ ଫେରିବା ବିଳମ୍ବ ହେବ ବୋଲି ଫୋନ କରି ଘରକୁ ଜଣାଇ ଦେଇଥିଲେ। ଗୋପୀନାଥ ବାରିକପୁରରେ ପହଞ୍ଚିବା ପରେ ରବୀନ୍ଦ୍ର ସହିତ ମିଶି ବାରିକପୁରର ଏକ ହୋଟେଲକୁ ଯାଇଥିଲେ ଏବଂ ସେଠି ମଦ ପିଇବା ସହିତ ଖାଇଥିଲେ। ତେବେ ଗୋପୀନାଥ ବିଳମ୍ବିତ ରାତିରେ ରବୀନ୍ଦ୍ରଙ୍କ ବାଇକ୍‌ ଓ ମୋବାଇଲ ନେଇ ରବୀନ୍ଦ୍ର ଘର ତାଳସିଠାରେ ପହଞ୍ଚିଥିଲା। ଘର ଆଗରେ ଠିଆ ହୋଇ ରବୀନ୍ଦ୍ର ମୋବାଇଲ ଫୋନରୁ ଭକ୍ତିଲତାଙ୍କୁ ଫୋନ କରିବାରୁ ଭକ୍ତିଲତା କବାଟ ଖୋଲିଥିଲେ। ଗୋପୀନାଥ ତାଙ୍କ ଘର ଭିତରକୁ ପଶିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଭକ୍ତିଲତାଙ୍କ ନାବାଳିକା ଝିଅ ପହଞ୍ଚି ବିରୋଧ କରିବାରୁ ଗୋପୀନାଥ ତା’ର ହାତ ଗୋଡ଼ ବାନ୍ଧି ପକାଇବା ସହ ଶିଳପୁଆରେ ଭକ୍ତିଲତା ମୁଣ୍ଡକୁ ଛେଚି ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଭକ୍ତିଲତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବାବେଳେ ସୈତାନ ପାଲଟି ଯାଇଥିବା ଗୋପୀନାଥ ହାତଗୋଡ଼ ବନ୍ଧା ଅବସ୍ଥାରେ ତାଙ୍କ ଝିଅକୁ ଦୁଷ୍କର୍ମ କରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ତେବେ ଏହା ପୂର୍ବରୁ ନାବାଳିକା ଜଣକ ତାଙ୍କର ଜଣେ ପଡ଼ୋଶୀ ସମ୍ପର୍କୀୟଙ୍କୁ ଫୋନ କରି ଦେଇଥିବାରୁ ସେତିକିବେଳେ କେତେକ ଗ୍ରାମବାସୀ ସେଠାରେ ପହଞ୍ଚି ଯାଇଥିଲେ। ଏହା ଦେଖି ଗୋପୀନାଥ ସେଠାରୁ ଖସି ପଳାଇଥିଲା। ମୁମୂର୍ଷୁ ଅବସ୍ଥାରେ ଭକ୍ତିଲତାଙ୍କୁ ଗ୍ରାମବାସୀମାନେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ଆଜି ସକାଳେ ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଧାମନଗର ଥାନାଧିକାରୀ ବନ୍ଦନା ପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ପୂର୍ବାଞ୍ଚଳ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଭଦ୍ରକ ଏସ୍‌ପି ବାତୁଳ ଗଙ୍ଗାଧର, ଧାମନଗର ଏସଡିପିଓ ମନୋରଂଜନ ସାମଲ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ଭୁବନେଶ୍ୱର ଯାଇ ଅଭିଯୁକ୍ତ ଗୋପୀନାଥକୁ କରି ଭଦ୍ରକ ଆଣୁଥିବା ଜଣାପଡ଼ିଛି। ପୁଲିସ ହାତରେ ଧରା ପଡ଼ିବା ପରେ ଭକ୍ତିଲତାଙ୍କୁ ହତ୍ୟା କରିବା ପୂର୍ବରୁ ରବୀନ୍ଦ୍ରଙ୍କୁ ମଧ୍ୟ ହତ୍ୟା କରି ଶବକୁ ଗାଁ ନିକଟରେ ଲୁଚାଇ ରଖିଛି ବୋଲି ପୁଲିସ ଆଗରେ ସ୍ୱୀକାର କରିଛି। ତେଣୁ ପୁଲିସ ଆସନ୍ତାକାଲି ଗୋପୀନାଥକୁ ନେଇ ରବୀନ୍ଦ୍ରଙ୍କ ଶବ ଉଦ୍ଧାର କରିବ ବୋଲି ଏସ୍‌ପି ବାତୁଲ ଗଙ୍ଗାଧର କହିଛନ୍ତି। ତେବେ ଗୋପୀନାଥ ଏଭଳି ଜଘନ୍ୟ କାଣ୍ଡ କାହିଁକି ଘଟାଇଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେଣୁ ଏହି ଡବଲ୍‌ ମର୍ଡ଼ର ଓ ଦୁଷ୍କର୍ମ ମାମଲାର ରହସ୍ୟ ଭେଦ କରିବା ପାଇଁ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର