ଭଦ୍ରକରେ ମଦ ମୃତ୍ୟୁ : ପୀରହାଟରେ ବିଷାକ୍ତ ମଦ ପିଇ ୪ ଜଣଙ୍କର ଓ ଚାନ୍ଦବାଲିରେ ୨ ଜଣଙ୍କର ମୃତ୍ୟୁ , ୨୦ ଗୁରୁତର ଅସୁସ୍ଥ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ୍‌ ଅନ୍ତର୍ଗତ ପୀରହାଟରେ ମଦ ପିଇ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାଯାଇଛି। ଅପରପକ୍ଷରେ ଚାନ୍ଦବାଲିରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।  ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ମଦ ବିଷାକ୍ତ ହୋଇଥିବା ହେତୁ ସେମାନଙ୍କ ସଂପର୍କୀୟ ମୃତ୍ୟୁ ଘଟିଛି।

ତିହିଡି ବ୍ଲକର ପୀରହାଟ ଅଂଚଳର ଦୌଲତପୁର ପଞ୍ଚାୟତର ନିମେଇ ସାହିରେ ଗତକାଲି ଭୋଟ୍‌ ଗ୍ରହଣ ସରିବା ପରେ କେତେକ ଲୋକ ମଦ୍ୟପାନ କରିଥିଲେ। ଏହି ମଦ ବିଷାକ୍ତ ହୋଇଥିବା  ହେତୁ ୩ ଜଣ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ବିଳମ୍ବିତ ରାତ୍ରିରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।  ଅତ୍ୟାଧିକ ଗୁରୁତର ଥିବାରୁ ସେମାନଙ୍କ ମଧ୍ୟରୁ  ଦୁଇଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏହି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ରାମଚନ୍ଦ୍ର ପଢ଼ିଆରି, ସାଧୁଚରଣ ନାୟକ ,ବାଇଧର ନାୟକ ଏବଂ ସର୍ବେଶ୍ବର ଦାସ। ବାଇଧର ନାୟକଙ୍କୁ କଟକ ନେବା ବାଟରେ ହିଁ ତାଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି।

ମଦ ମୃତ୍ୟୁ ଖବର ପାଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭୁବନେଶ୍ବରରୁ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ମଧ୍ୟ ଭଦ୍ରକ ଆସୁଥିବା ଜଣାଯାଇଛି।ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ କହିଛନ୍ତି .ଯେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଶହ ଶହ ଲୋକ ତିହିଡି-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ।

 

ସମ୍ବନ୍ଧିତ ଖବର