ଭଦ୍ରକ ମେଡିକାଲ କଲେଜ ପାଇଁ ମାସେ କଣ୍ଟ, ଦାବି ପୂରଣ ନ ହେଲେ ଆନ୍ଦୋଳନ ତେଜିବ

ଭଦ୍ରକ : ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଛି। ବିଭିନ୍ନ ସଙ୍ଗଠନ ସ୍ବର ମଧ୍ୟ ଉଠାଉଛନ୍ତି। ମାତ୍ର, ବିଳମ୍ବକୁ ଆଉ ବରଦାସ୍ତ କରାଯିବନି। ଏକମାସ ମଧ୍ୟରେ ଦାବି ପୂରଣ ନ ହେଲେ, ଆନ୍ଦୋଳନକୁ ବ୍ୟାପକ କରାଯିବ। ଆଜି ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ସରକାରଙ୍କୁ ଏହିଭଳି ଏକ ଚେତାବନୀ ଦିଆଯାଇଛି।

ସଂଘର୍ଷ ସମିତି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ୧୯୯୫ ମସିହାରୁ ଭଦ୍ରକରେ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ହୋଇଆସୁଛି। ଏବେ କେନ୍ଦ୍ର ସରକାର ଦେଶରେ ୭୫ଟି ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଭଦ୍ରକବାସୀଙ୍କ ବହୁଦିନର ମେଡିକାଲ କଲେଜ ଦାବିକୁ ଚତୁରତାର ସହ ଏଡାଇ ଯାଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର ମାସରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ୩୦୦ ଘୋଷଣା କରିଛନ୍ତି। ପ୍ରକାଶଥାଉକି, ଭଦ୍ରକ ନୂତନ ଜିଲ୍ଲା ମାନ୍ୟତା ପାଇବା ପୂର୍ବରୁ ଅର୍ଥାତ ୧୯୯୦ ମସିହାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟାସଂଖ୍ୟା ୧୯୧ ଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ବୃଦ୍ଧି ପାଇ ୩୨୫ ହୋଇଥିଲା। ଅଥଚ ଏବେ ମୁଖ୍ୟମନ୍ତ୍ରୀ ୩୦୦ ସଂଖ୍ୟା ବୃଦ୍ଧି ହେଲା ବୋଲି ଦୁଇ ଦୁଇଥର ଘୋଷଣା କରିବା ହାସ୍ୟାସ୍ପଦ ଓ ଭଦ୍ରକବାସୀଙ୍କ ପାଇଁ ଚରମ ପ୍ରତାରଣା। ଏଭଳି ଭୁଲ୍ ଓ ପ୍ରବଞ୍ଚନାପୂର୍ଣ୍ଣ ଘୋଷଣାକୁ ଗୁରୁତ୍ୱ ନ ଦେଇ ଭଦ୍ରକରେ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା ଦାବି ବଳବତ୍ତର ରହିବ ବୋଲି ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ କୁହାଯାଇଛି।

ଭଦ୍ରକରେ ଧାମନଗର ଛକଠାରେ ଇଡ୍‌କୋ ଅଧୀନରେ ପ୍ରାୟ ୨୧୮ ଏକର ଅଧିକୃତ ଜମି ଓ ୧୮ ଏକର ସରକାରୀ ଜମିକୁ ମିଶାଇ ମୋଟ୍‌ ୨୩୬ ଏକର ଜମି ରହିଛି। ଜିଲ୍ଲାର ୨୧ ଲକ୍ଷ ଲୋକଙ୍କ ସହିତ ପଡ଼ୋଶୀ ଜିଲ୍ଲାଗୁଡ଼ିକର ପ୍ରାୟ ୭ ଲକ୍ଷ ଲୋକ ବାଣିଜ୍ୟ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାପାଇଁ ଭଦ୍ରକ ଉପରେ ନିର୍ଭରଶୀଳ। ଏଣୁ ଭଦ୍ରକରେ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲ ଜିଲ୍ଲାବାସୀଙ୍କ ହକ୍। ଏହା ସହିତ ଭଦ୍ରକରେ ନିର୍ମାଣାଧୀନ ସୁପର ସ୍ପେଶାଲିଟି ହସ୍‌ପିଟାଲକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଖାଲିଥିବା ସମସ୍ତ ଡାକ୍ତର ପଦ ପୂରଣ ଓ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର ନିଯୁକ୍ତି ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଆଗାମୀ ଏକ ମାସ ମଧ୍ୟରେ ଦାବି ପୂରଣ ନହେଲେ ଜିଲ୍ଲାପାଳ, ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟାୟ କ୍ରମେ ଘେରାଉ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଭଦ୍ରକ ଓକିଲ ସଂଘ ସଭାଗୃହରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତିର ସଭାପତି ଆଇନଜୀବୀ ନିରାକାର ଜେନା, ସଂଗଠକ ଆଇନଜୀବୀ ଗିରିଧାରୀ ନାଥ, ଶ୍ରମିକନେତା ଦିବ୍ୟସିଂହ ନାୟକ, ସମାଜସେବୀ ବିକାଶ ଜେନା, ଓକିଲ ସଂଘର ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର