ଭଦ୍ରକ ସିରିଜ୍‌ ଦୁର୍ଘଟଣା ମାମଲା : ଚାଳକଙ୍କ ବିରୋଧରେ ଲାଗିବ ୩୦୪, ୫ ରାଜପଥରେ ହେବ ୨୪ ଘଣ୍ଟିଆ ପାଟ୍ରୋଲିଂ

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ରାଣୀତାଲ ରାହାଞ୍ଜ ନିକଟରେ ସିରିଜ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଦେବାଳମ ଭେଙ୍କଟାଦ୍ରି ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତା ବିରୋଧରେ ଦଫା ୩୦୪ ଲଗାଯିବ ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ କେସ ନମ୍ବର ୩୫୧/୧୮, ଦଫା ୨୭୯/୩୩୭/୩୦୪(ଏ)ରେ ମାମଲା ରୁଜୁ କରିଛି। ଯେହେତୁ ଏହା ଏକ ସ୍ପର୍ଶକାତର ମାମଲା, ୩୦୪(ଏ) ଭଳି ଦଫା ପ୍ରଯୁଜ୍ୟ ନୁହେଁ। ଏହି ମାମଲାରେ ଟ୍ରକ୍‌ ଚାଳକ  ଦେବାଳମ୍‌ ଦୋଷୀ ସାବ୍ୟସ୍ତ ହେଲେ ମାତ୍ର ୨ ବର୍ଷ ଦଣ୍ଡ ବିଧାନ ହେବ। ଯେହେତୁ ଚାଳକ ଜଣକ ବେପରୁଆ ଚାଳନା କରି ୫ ଜଣ ନିଷ୍ପାପ ପିଲାଙ୍କୁ ମୃତ୍ୟୁ ମୁହଁକୁ ଠେଲିଛି ଏବଂ ୬ ଜଣଙ୍କୁ ଗୁରୁତର କରିଛି। ତେଣୁ ତା ବିରୋଧରେ କଡ଼ା ଦଫା ଲଗାଯିବାକୁ ଯୋଜନା ହୋଇଛି।   କେସ୍‌ ଡାଇରି ଦାଖଲବେଳେ ପୁଲିସ ୩୦୪ ଦଫା ଯୋଡିବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି।

ଅନ୍ୟପକ୍ଷରେ, ୩୦୪ ଦଫା ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, ଏହି ଦଫାର ଅର୍ଥ ହେଉଛି, ପିଲାମାନେ ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତୁ ବୋଲି  ଚାଳକର ଉଦ୍ଦେଶ୍ୟ ନ ଥିଲା, କିନ୍ତୁ ସେ ଜାଣିଶୁଣି ଦୁର୍ଘଟଣା ଘଟାଇଛି। ଏହି ଦଫାରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ  କିମ୍ବା ଅତି କମ୍‌ରେ ୧୦ ବର୍ଷ ସଜା ହୋଇପାରେ।

ଜାତୀୟ ମାନବ ଅଧିକାର କମିସନଙ୍କ ନିକଟରେ ପିଟିସନ୍‌ ଦାଖଲ କରିଥିବା  ମାନବାଧିକାର କର୍ମୀ ଇମ୍ରାନ ଅଲ୍ଲୀ କହିଛନ୍ତି, ଜାତୀୟ ରାଜପଥ କଡ଼ରେ ସ୍କୁଲ ଥିଲେ ମଧ୍ୟ ନା ସେଠାରେ ହମ୍ପସ ଥିଲା, ନା ବ୍ୟାରିକେଡ, ନା କୌଣସି ସୂଚନା ଥିଲା!  ତେଣୁ ଟ୍ରକ ଚାଳକ  ଜଣକ ଆଗରେ ସ୍କୁଲ ଥିବା ସୂଚନା ନ ପାଇ ଦୁର୍ଘଟଣା ଘଟାଇଥିଲା।

ଅନ୍ୟପକ୍ଷରେ, ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ସଡ଼କ ଦୁର୍ଘଟଣା ସଂଖ୍ୟା ବର୍ଷକୁ ବର୍ଷ ବଢ଼ି ଚାଲିଥିବାବେଳେ ଏନେଇ ସୁପ୍ରିମକୋର୍ଟର ରୋଡ୍‌ ସେଫ୍‌ଟି କମିଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଓଡ଼ିଶାରେ ଘଟୁଥିବା ସଡ଼କ ଦୁର୍ଘଟଣାର ଏକ ତୃତୀୟାଂଶ ଜାତୀୟ ରାଜପଥ ଉପରେ ଘଟୁଥିବାରୁ ୫ଟି ରାଜପଥ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜଳେଶ୍ୱରରୁ ଇଚ୍ଛାପୁରମ୍‌, ଭୁବନେଶ୍ୱରରୁ ପୁରୀ, ସମ୍ବଲପୁରରୁ ସୋହେଲା, ମଙ୍ଗୁଳିରୁ ସମ୍ବଲପୁର, ସମ୍ବଲପୁରରୁ ରାଉରକେଲା (ଜାତୀୟ ରାଜପଥ-୧୦)ରେ ଏହି ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ ହେବ। ଏନେଇ ଅତିରକ୍ତ ପୁଲିସ ଡିଜି (ଆଧୁନିକୀକରଣ) ଡିପିଆର୍‌ ପ୍ରସ୍ତୁତ କରିଥିବାବେଳେ ଏହାକୁ ତୁରନ୍ତ ଲାଗୁ କରିବାକୁ ନଗର ଉନ୍ନୟନ ବିଭାଗ ସଚିବ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର