ଚର୍ଚ୍ଚାରେ ଭଦ୍ରକ ବିଧାନସଭା ‌କ୍ଷେତ୍ର : ବିଜେଡି-କଂଗ୍ରେସ-ବିଜେପି ପ୍ରାର୍ଥୀଙ୍କୁ ନେଇ ସସ୍ପେନସ

ଭଦ୍ରକ, (ହରିହର ନାୟକ): ଜିଲ୍ଲାର ସବୁଠାରୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ଭଦ୍ରକ। ଜିଲ୍ଲା ସଦର ମହକୁମାରେ ଏଇ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏହ‌ା ଉପ‌ରେ ସବୁ ରାଜନୈତିକ ଦଳର ଆଖି। ଗତ ୨୦୦୯ ଓ ୨୦୧୪ ନିର୍ବାଚନ ବେଳେ ଏଇ ଆସନରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ବିଜେଡି ଦଳରୁ ଟିକଟ ପାଇ ଦୁଇ ଦୁଇଥର ବିଧାୟକ ହୋଇଛନ୍ତି। ଗତ ୨୦୧୪ ନିର୍ବାଚନରେ ଭଦ୍ରକ ଆସନରୁ ଯୁଗଳ ବାବୁ ବିଜେଡି ଦଳରୁ ତାଙ୍କର ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲେ। ସେତେବେଳେ ଯୁଗଳ ବାବୁ ୮୦ ହଜାର ୩୩୩ଖଣ୍ଡ ଭୋଟ ପାଇଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ କଂଗ୍ରେସର ନରେନ ପଲେଇଙ୍କଠାରୁ ଅଧିକ ୨୩ ହଜାର ୧୯୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଶ୍ରୀ ପଲେଇ ୫୭ ହଜାର ୧୩୭ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଡା. ପ୍ରଦୀପ ନାୟକ ୧୯ ହଜାର୨୪୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ଲଗାତର ଦୁଇଥର ବିଧାୟକ ‌ହୋଇ ବିଜେଡି ଦଳରେ ଯୁଗଳ ନିଜର ସ୍ଥିତି ଜାହିର କରିଥିବା ବେଳେ ଏବେ ତାଙ୍କର ବୟସାଧିକ କାରଣରୁ ସେ ଆଉ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ ନାହିଁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଭଦ୍ରକ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ସ୍ଥାନରେ ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦଳରୁ ତାଙ୍କ ପୁତ୍ର ତଥା ଜିଲ୍ଲା ବିଜେଡିର ଉପସଭାପତି ଅସିତ ପଟ୍ଟନାୟକଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି। କେବଳ ଅସିତଙ୍କ ସହ ଏଇ ଆସନରୁ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ, ଯୁବନେତା ସଂଜୀବ ମଲ୍ଲିକଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ତେ‌ବେ ବିଜେଡି ସୁପ୍ରିମୋ ଏପର୍ଯ୍ୟନ୍ତ ଭଦ୍ରକ ବିଧାନସଭା ‌କ୍ଷେତ୍ରରୁ କାହାକୁ ଟିକଟ ମିଳିବ କିଛି ସଂକେତ ଦେଇ ନଥିବା ବେଳେ କଂଗ୍ରେସ ବି କିଏ ହେବ ଭଦ୍ରକ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ତାହା ଚୂଡାନ୍ତ ହୋଇପାରି ନାହିଁ।

କଂଗ୍ରେସରେ ଚର୍ଚ୍ଚାରେ ଅଛନ୍ତି ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ଓ ପୂର୍ବତନ ବିଧାୟକ ନରେନ ପଲେଇ। ଏଇ ଦୁଇନେତାଙ୍କ ମଧ୍ୟରୁ କଂଗ୍ରେସର କେନ୍ଦ୍ରୀୟ ଟିମ୍ କାହା ନାମରେ ମୋହର ମାରିବେ ତାହାକୁ ନେଇ ସସ୍ପେନସ୍ ରହିଛି। ସେହିପରି ବିଜେପିରୁ ଡା. ପ୍ରଦୀପ ନାୟକ, ରାଜୀବ ମହାନ୍ତି,ତୁଷାର ଜେନା ଓ ମନସ୍ମିତା ଖୁଣ୍ଟିଆଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ କାହାକୁ ଟିକଟ ମିଳିବ ସ୍ପଷ୍ଟ ହୋଇନାହିଁ। ଭଦ୍ରକ ସଦର ବିଧାନସଭା କ୍ଷେତ୍ର ଜିଲ୍ଲା ରାଜନୀତିର ପ୍ରମୁଖ କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏଇ ଆସନରୁ ସବୁ ଦଳ ଭାବିଚିନ୍ତି ପ୍ରାର୍ଥୀ ଚୟନ କରିବେ ବୋଲି ଆଲୋଚନା ହେଉଥିବା ବେଳେ ତିନି ପ୍ରସୁଖ ଦଳର ପ୍ରାର୍ଥୀ ଚୟନକୁ ନେଇ ସସ୍ପେନସ୍ ଜାରି ରହିଛି।

ସମ୍ବନ୍ଧିତ ଖବର