ଭୀମ ଆର୍ମି ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ଭୁବନେଶ୍ୱର: ଭୀମ ଆର୍ମି ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଢେଙ୍କାନାଳ, ବଲାଙ୍ଗିର ଓ ଝାରସୁଗୁଡାରେ ଶତାଧିକ ଭୀମ ଆର୍ମି ସଦସ୍ୟ ପିକେଟିଂ କରି ବନ୍ଦ କରିଛନ୍ତି । ଢେଙ୍କାନାଳରେ ଭୀମ ଆର୍ମି ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ବନ୍ଦ କରାଯିବାରୁ ଗାଡି ଚଳାଚଳ ପୁରା ଠପ୍ ରହିଛି । ବଲାଙ୍ଗିର ଓ ଝାରସୁଗୁଡାରେ ପିକେଟିଂ କରି ଭୀମ ଆର୍ମି ସଦସ୍ୟ ଦୋକାନବଜାର ବନ୍ଦ କରିଛନ୍ତି । ଗାଡି ଚଳାଚଳ ମଧ୍ୟ ଏଠାରେ ପ୍ରଭାବିତ ହୋଇଛି ।

ସମ୍ବଲପୁରରେ ମଧ୍ୟ ଭୀମ ଆର୍ମି ସଦସ୍ୟ ପିକେଟିଂ କରି ବିଭିନ୍ନ ସହରରେ ଦୋକାନ ବଜାର ବନ୍ଦ କରିଛନ୍ତି । ସମ୍ବଲପୁର କ୍ଷେତରାଜପୁର ରେଳଷ୍ଟେସନରେ ଭୀମ ଆର୍ମି ସଦସ୍ୟ ସମ୍ବଲପୁର – ପୁରୀ ଇଂଟରସିଟି ଏକ୍ସପ୍ରେସକୁ ଅଟକାଇଥିଲେ ।

ଫଳରେ ଟ୍ରେନ ଗୋଟିଏ ଘଣ୍ଟା ଷ୍ଟେସନରେ ଅଟକିଥିଲା । ସେପଟେ ବନ୍ଦ ପାଳନ ପାଇଁ ୫୩ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଶହ ଶହ ଗାଡି ମୋଟର ଠିଆ ହୋଇରହିଛି । ସୁପ୍ରିମକୋର୍ଟ ଆରକ୍ଷଣ ବିରୋଧରେ ରାୟ ଦେବା, କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନ ଓ ନାଗରକିତା ପଞ୍ଜିକରଣ ଆଇନକୁ ବିରୋଧ କରି ଭୀମ ଆର୍ମି ସଦସ୍ୟ ଏପରି ବନ୍ଦ ଡାକରା ଦେଇଛନ୍ତି ।

ସମ୍ବନ୍ଧିତ ଖବର