ଭାରତ ବନ୍ଦ ପ୍ରଭାବ : ଭଦ୍ରକରେ ଅଟକିଲା ଟ୍ରେନ, ରାୟଗଡାରେ ଟାୟାର ଜାଳି ରାସ୍ତାରୋକ

ଗୁଣପୁର/ଭଦ୍ରକ/ଭୁବନେଶ୍ୱର:  ଓଡ଼ିଶାରେ ଅନୁଭୂତ ହୋଇଛି  ଭାରତ ବନ୍ଦର ପ୍ରଭାବ | ବିଭିନ୍ନ ଶ୍ରମିକ ସଂଗଠନ ଓ ବାମଦଳ ପକ୍ଷରୁ ସକାଳୁ  ରେଳରୋକ ଓ ରାସ୍ତାରୋକ କରାଯାଇଛି। ରାଜ୍ୟର ପ୍ରମୁଖ ସହରରେ ବନ୍ଦ ସମର୍ଥକ ରାସ୍ତା ଉପରକୁ ଓହ୍ଲାଇ ପିକେଟିଂ କରୁଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକଗୁଡ଼ିକରେ ଆନ୍ଦୋଳନକାରୀ ଗାଡ଼ିମଟର ଚଳାଚଳ ବନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି। ଭୁବନେଶ୍ବର ଓ କଟକରେ ରେଳରୋକ କରାଯାଇଛି।

ସେହିପରି  ଭଦ୍ରକ ଓ ବାଲେଶ୍ୱରରେ ଆନ୍ଦୋଳନକାରୀ ରେଳ ଷ୍ଟେସନରେ ଟ୍ରେନକୁ ଅଟକାଇଥିବାବେଳେ ରାୟଗଡା ଗୁଣୁପୁରରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି | ଭଦ୍ରକରେ ଏଆଇସିଟିୟୁ ଓ ସିପିଆଇ ପକ୍ଷରୁ ବହୁ ସଂଖ୍ୟାରେ କର୍ମୀ ଷ୍ଟେସନରେ ପହଂଚି ଟ୍ରେନକୁ ଅଟକାଇଛନ୍ତି | ସେହିପରି ପ୍ରବଳ ଶୀତ ସତ୍ୱେ ରାୟଗଡାର ଗୁଣୁପୁରରେ ଏଆଇସିଟିୟୁର କର୍ମୀମାନେ ଧର୍ମଘଟ ଓ ବନ୍ଦ ଡାକରା ଦେଇ ରାସ୍ତାକୁ ଓହ୍ଲାଇଛନ୍ତି | ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସ୍ଥାୟୀ ନିଯୁକ୍ତି, ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ମୋଦୀ ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଣ୍ଟିଆ ଭାରତ ବନ୍ଦ୍ ଡାକରା ଦେଇଛନ୍ତି ।

ଆଉ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଯୋଜନାକୁ ବିରୋଧ କରି ସାରା ଦେଶରେ ପ୍ରାୟ ୨୫ କୋଟି ଲୋକ ବନ୍ଦ ପାଳନରେ ସାମିଲ ହେବେ ବୋଲି ଆକଳନ କରାଯାଇଛି । ଆଇଏନଟିୟୁସି, ଏଆଇଟିୟୁସି, ସିଆଇଟିୟୁ ଓ ଟିୟୁସିସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ବ୍ୟାଙ୍କ ସଂଘଗୁଡ଼ିକ ବି ବନ୍ଦ ପାଳନରେ ସାମିଲ ହେବ ବୋଲି ଆଗୁଆ ଜଣାଇଦେଇଛନ୍ତି। ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଜିଲ୍ଲାପାଳ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ।

ଏନେଇ ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, ଗଜପତି, ଖୋର୍ଦ୍ଧା, କନ୍ଧମାଳ, ରାୟଗଡା ଆଦି ଜିଲ୍ଲାର ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଘରୋଇ ସ୍କୁଲ ନିଜଆଡୁ ଛୁଟି ଘୋଷଣା କରିସାରିଛନ୍ତି । ଭୁବନେଶ୍ୱର ଅଂଚଳରେ ମଧ୍ୟ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ଅନ୍ୟପଟେ ଯାତ୍ରୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୋ ବସ ଚାଲିବ ବୋଲି ପ୍ରଶାସନ ଘୋଷଣା କରିଛି । ଫଳରେ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ପାଇଁ ଯାତାୟତ ସୁବିଧା ହେବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର