କନ୍ଧମାଳରେ ଭାରତ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ : ଦୋକାନ, ବଜାର ବନ୍ଦ, ଯାନବାହାନର ଚକ ଗଡିଲାନି

ଫୁଲବାଣୀ : ଦରଦାମ ବୃଦ୍ଧି, ଶ୍ରମ ଆଇନ ସଂଶୋଧନ, ନିଯୁକ୍ତି ଓ ସାମାଜିକ ସୁରକ୍ଷା ଆଦି ଦାବିରେ ଆଜି ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ କଂଗ୍ରେସ ସମର୍ଥନ ଜଣାଇଥିଲା। କନ୍ଧମାଳ ଜିଲ୍ଲାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଥିବା ବେଳେ କୌଣସି ସ୍ଥାନରେ ଗଣ୍ଡଗୋଳ ହୋଇନଥିବା ଜଣାପଡିଛି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଜିଲ୍ଲାପାଳ, ଏସପିଙ୍କ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ସକାଳ ୯ଟା ପୂର୍ବରୁ କିଛି କର୍ମଚାରୀ କାର୍ଯ୍ୟାଳୟକୁ ଆସିଥିଲେ ସତ ହେଲେ କାମ କିଛି କରି ପାରି ନଥିଲେ। ଅଧିକାରୀମାନେ ପ୍ରାୟତଃ କାର୍ଯ୍ୟାଳୟକୁ ଆସି ନଥିଲେ। ଦୋକାନ, ବଜାର, ସମସ୍ତ ବ୍ୟାଙ୍କ ଓ କୋର୍ଟ ବି ବନ୍ଦ ରହିଥିଲା। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ପଡିଥିଲା। ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଫୁଲବାଣୀରୁ ଭୁବେନଶ୍ବର, ବ୍ରହ୍ମପୁର ଏବଂ ଅନ୍ୟ ଜିଲ୍ଲାକୁ ଯିବା ପାଇଁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏମିତି କି ଦୋକାନ, ବଜାର ଓ ହୋଟେଲ ବନ୍ଦ ଯୋଗୁଁ ଅଧିକାଂଶଙ୍କୁ ବିସ୍କୁଟ ଓ ପାଉଁରୁଟି ଖାଇ କାମ ଚଳାଇବାକୁ ପଡିଥିଲା।

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ,ଏଆଇଟଇୟୁସି ଓ ଜାତୀୟ କଂଗ୍ରେସର ନେତା ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପିକେଟିଂ କରି ବନ୍ଦ ପାଳନ କରିଥିଲେ। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସଭାପତି ତଥା ଏଆଇସିସି ସଭ୍ୟ ଘନ କୁମାର ଶବରଙ୍କ ନେତୃତ୍ବରେ ବନ୍ଦ ପାଳନରେ କଂଗ୍ରେସ ନେତା ବିଜୟ କୁମାର ମହାନ୍ତି, ହେମନ୍ତ କୁମାର କର, ସଂଜୟ କୁମାର ଭଂଜ, ବଳଦେବ ବେହେରା, ଶିବଶଙ୍କର ବେହେରା, ଗୌରଚରଣ ବେହେରା, ଜାକିର ଉଲ୍ଲା ଖାନ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପ୍ରଫୁଲ୍ଲ କୁମାର ବେହେରା, ରାଧୁଆ ଦିଗାଲ, ସୁଦାମ ବେହେରା, କାହ୍ନା ବେହେରା, ପିଣ୍ଟୁ ବେହେରା, ରବି ସେନାପତି, ଦୀପକ ବେହେରା, ଗଜେନ୍ଦ୍ର କହଁର, ସିଲୁ ପାଢୀ, କୃଷ୍ଣ ବେହେରା, ପ୍ରତାପ ସାହୁ, ମନୋଜ ନାୟକ, କୁନା କହଁର, ଏଆଇଟିୟୁସିର ଶିଶିର ମଲ୍ଲିକ, ଯୁଧିଷ୍ଟିର ସାହୁ, ଉମେଶ ଭୋଇ ପ୍ରମୁଖ ସାମିଲ ହୋଇଥିଲେ। ବନ୍ଦ ପାଳନରେ ଆଇନଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାବ୍ୟାପୀ ପୁଲିସ ଛାଉଣି କରାଯାଇଥିଲା। ମୁଖ୍ୟ ଜନଗହଳି ସ୍ଥାନ, ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପୁଲିସ ସଜାଗ ରହିଥିବା ବେଳେ ପଦସ୍ଥ ଅଧିକାରୀମାନେ ତଦାରଖ ନିମନ୍ତେ ପଇଁତରା ମାରିଥିଲେ।

ସମ୍ବନ୍ଧିତ ଖବର