ବିଜେଡିରେ ଯୋଗଦେଲେ ଭରତ ପାଇକ, ପାଳଲହଡ଼ା ବ୍ଲକ ଅଧ୍ୟକ୍ଷ

ଶିକ୍ଷାବିତ ଚନ୍ଦ୍ରିକା ମୁର୍ମୁ କେନ୍ଦୁଝର ଲୋକସଭା ପ୍ରାର୍ଥୀ!, ସୁନନ୍ଦା ସକାଳେ ସାମିଲ ସନ୍ଧ୍ୟାରେ ବରୀ ପାଇଁ ଦଳୀୟ ପ୍ରାର୍ଥୀ, ବଡ଼ଚଣାର କଂଗ୍ରେସ ନେତା ଜନ୍ମେଜୟ ବି ଯୋଗଦେଲେ

ଭୁବନେଶ୍ବର : ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଯାଜପୁର ଜିଲ୍ଲା ବିଜେପିର ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ। ସୋମବାର ସକାଳେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳରେ ଶ୍ରୀମତୀ ଦାସଙ୍କୁ ସାମିଲ କରିଥିଲେ। ସନ୍ଧ୍ୟାରେ ବରୀ ବିଧାନସଭା ଆସନ ପାଇଁ ବିଜେଡି ମୁଖିଆ ତାଙ୍କୁ ଦଳୀୟ ପ୍ରାର୍ଥୀ କରିଛନ୍ତି। ସେହିପରି ଗଜପତି ଜିଲ୍ଲା ରାମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଭରତ ପାଇକ, ପାଳଲହଡ଼ା ବ୍ଲକ ଅଧ୍ୟକ୍ଷ ମୁକେଶ ପାଳ ନିଜର ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ୨୦୧୪ ନିର୍ବାଚନରେ ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜନ୍ମେଜୟ ଲେଙ୍କା ବି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ହଜାର ହଜାର ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଛନ୍ତି। ଏମାନଙ୍କ ସହିତ ଶିକ୍ଷାବିତ ଚନ୍ଦ୍ରିକା ମୁର୍ମୁ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶ୍ରୀମତି ମୁର୍ମୁଙ୍କୁ କେନ୍ଦୁଝର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ କରିବା ନେଇ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ବିଜେଡିରେ ଯୋଗଦେଇଥିବା ବିଜେପି ଓ କଂଗ୍ରେସ ନେତା, କର୍ମୀ ଓ ଶିକ୍ଷାବିତଙ୍କୁ ସ୍ବାଗତ କରି ବିଜେଡି ସଭାପତି ଶ୍ରୀପଟ୍ଟନାୟକ କହିଥିଲେ ବିଜେପି ନେତାଙ୍କ ଯୋଗଦାନ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀପାଇକ କହିଥିଲେ ବିଜେପିରେ ବରିଷ୍ଠ ନେତାଙ୍କୁ ସମ୍ମାନ ଦିଆଯାଉନାହିଁ। ଅନ୍ୟପଟେ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ବଡ଼ଚଣାର ନେତା ଶ୍ରୀ ଲେଙ୍କା କହିଥିଲେ କଂଗ୍ରେସର ଯାହା କୁହାଯାଏ ତାହା ପାଳନ ହୁଏନାହିଁ। ନିର୍ବାଚନକୁ ଯେତିକି ଗୁରୁତ୍ବ ଦେଇ ସମୟଥାଉ ପ୍ରାର୍ଥୀ ଚୟନ କରାଯିବା କଥା ତା ମଧ୍ୟ ହୋଇପାରୁନି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ବହୁତ ଆକର୍ଷିତ କରିବାରୁ ବିଜେଡିରେ ସାମିଲ ହୋଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଯୋଗଦାନ କାର୍ଯ୍ୟକ୍ରମରେ ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ରଜନୀକାନ୍ତ ସିଂହ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର