୧୯ତମ ‘ଭାରତ ପ୍ରତିଭା ସମ୍ମାନ’ ଉତ୍ସବ : ୮ ପ୍ରତିଭାବାନ ଓଡ଼ିଆ ସମ୍ବର୍ଦ୍ଧିତ

କଟକ : ଭାରତ ମସଲା ‘ଜୟ ଭାରତ ଫାଉଣ୍ଡେସନ୍‌’ ପକ୍ଷରୁ ୧୯ତମ ‘ଭାରତ ପ୍ରତିଭା ସମ୍ମାନ-୨୦୧୮’ ଉତ୍ସବ ସ୍ଥାନୀୟ ସହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଲୋକ ସେବକ ମଣ୍ଡଳ ସଂପାଦକ ତଥା ସମାଜର ପ୍ରକାଶକ ନିରଞ୍ଜନ ରଥ, ଏମ୍‌ଏସ୍‌ଏମ୍‌ଇର ଯୁଗ୍ମ ମୁଖ୍ୟ ସଂପାଦକ ଏଲ୍‌.ଏନ୍‌. ଗୁପ୍ତା ଯୋଗ ଦେଇଥିଲେ।

ଉତ୍ସବରେ ‘ଭାରତ ଗୌରବ’ ସମ୍ମାନରେ ବୈଜ୍ଞାନିକ ତପନ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ‘ସେବା ଭାରତ’ ସମ୍ମାନରେ ରାଜସ୍ଥାନର ପ୍ରଶାସନିକ ଅଧିକାରୀ ଡକ୍ଟର ଜଗଦିଶ ଚନ୍ଦ୍ର ମହାନ୍ତି, ‘କଥା ଭାରତ’ ସମ୍ମାନରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ଲେଖକ ସୌଭାଗ୍ୟ କୁମାର ମିଶ୍ର, ‘ସଂସ୍କୃତି ଭାରତ’ ସମ୍ମାନରେ ଚଳଚ୍ଚିତ୍ର ନାୟିକା ବର୍ଷା ପ୍ରିୟଦର୍ଶନୀ, ‘କ୍ରୀଡା ଭାରତ’ ସମ୍ମାନରେ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା, ‘ବିଦ୍ୟା ଭାରତ’ ସମ୍ମାନରେ ଭଦ୍ରକ ଜୁନିୟର କଲେଜର ବିଜ୍ଞାନ ଛାତ୍ରୀ ସୁପ୍ରଭା ଦାଶ, ଭବାନୀପାଟଣା ସରକାରୀ ଜୁନିୟର କଲେଜର ବାଣିଜ୍ୟ ଛାତ୍ର ମଳୟ ପାନ୍‌ ଓ ପୁରୀ ଏସ୍‌ସିଏସ୍‌ ଜୁନିୟର କଲେଜର କଳା ଛାତ୍ରୀ ମୋନାଲିସା ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ଜୟ ଭାରତ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଫାଉଣ୍ଡେସନ୍‌ର ମହାପ୍ରବନ୍ଧକ ଅରୁଣ ନାୟକ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଜୟ ଭାରତ ଫାଉଣ୍ଡେସନ୍‌ ତଥା ଭାରତ ମସଲାର ଯାତ୍ରା ଉପରେ ଆଲୋକପାତ କରିଥିଲେ। ସୂଚନା ଯୋଗ୍ୟ ଜୟ ଭାରତ ଫାଉଣ୍ଡେସନ୍‌ ଏବେ ତିନି ଶହ କୋଟିରୁ ଅଧିକ ଟଙ୍କାରେ ଭାରତ ମସଲା ପ୍ରସ୍ତୁତ କମ୍ପାନି ଦ୍ୱାରା ୫ହଜାର ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇଛି। କମ୍ପାନିର ୧୯ ବର୍ଷର ଯାତ୍ରା ମଧ୍ୟରେ ଏବେ ଏହା ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ୧୯ଟି ଦେଶରେ ପହଞ୍ଚି ପାରିଛି।

ସମ୍ବନ୍ଧିତ ଖବର