‘ଭାରତମାଳା’ ଯୋଜନାରେ ଓଡ଼ିଶାର ଏକାଧିକ ପ୍ରକଳ୍ପ

ନୂଆଦିଲ୍ଲୀ : ୧୮୫୪ କିମି ଦୀର୍ଘ ମୁମ୍ବାଇ-କୋଲକାତା ଅର୍ଥନୈତିକ କରିଡର ସମ୍ବଲପୁର ଓ ଦେବଗଡ଼ ଦେଇ ଯିବ। ୫୦୬ କିମି ବ୍ୟାପି ରାୟପୁର ବିଶାଖାପାଟଣା ଅର୍ଥନୈତିକ କରିଡରରେ ଉମରକୋଟ ଓ ସୁନାବେଡ଼ା ଅନ୍ତର୍ଭୁକ୍ତ ଅଛି। ୩୬୦ କିଲୋମିଟରର ସମ୍ବଲପୁର ପାରଦ୍ୱୀପ ଅର୍ଥନୈତିକ କରିଡରରେ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ ଓ ପାରାଦ୍ୱୀପକୁ ସାମିଲ କରାଯାଇଛି। ୩୨୯ କିଲୋମିଟର ସମ୍ବଲପୁର-ରାଞ୍ଚି ଅର୍ଥନୈତିକ କରିଡରରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା ଉପକୃତ ହେବ।

ଗତକାଲି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ‘ଭାରତମାଳା ରାଜପଥ ପ୍ରକଳ୍ପ’ରେ ଓଡ଼ିଶାର ଏଭଳି ଅନେକ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଇଛି। କେବଳ ସେତିକି ନୁହେଁ, ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶର ଯେଉଁ ୨୮ଟି ସହରରେ ରିଙ୍ଗ୍‌ ରୋଡ୍‌ କରାଯିବାର ପ୍ରସ୍ତାବ ରହିଛି ସେଥି ମଧ୍ୟରେ ସମ୍ବଲପୁର ଓ ଭୁବନେଶ୍ୱରକୁ ଚୂଡ଼ାନ୍ତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ବିଶଦ ତଥ୍ୟ ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ‘ଭାରତମାଳା ରାଜପଥ ପ୍ରକଳ୍ପ’ର ଇଣ୍ଟର-କରିଡ଼ର ତାଲିକାରେ ୩୩୫ କିମି ସୋହେଲା (ଏନ୍‌ଏଚ ୫୩)- ଖୋର୍ଦ୍ଧା, ୧୩୬ କିମି କେନ୍ଦୁଝର-ଚଣ୍ଡିଖୋଲ, ୮୧ କିମି ଝାଡ଼ପୋଖରିଆ- ବାଲେଶ୍ୱର, ୩୬ କିମି ସୋହେଲା(ଏନଏଚ୫୩) ଖୋର୍ଦ୍ଧା ରୋଡ୍‌ରୁ ଫୁଲବାଣୀ ଏବଂ ଫିଡର ରୋଡ୍ସ ତାଲିକାରେ ୧୨୧ କିମି ଅନୁଗୁଳ-ଖୋର୍ଦ୍ଧା, ୧୩ କିଲୋମିଟର ଅନୁଗୁଳ-ଖୋର୍ଦ୍ଧା ବ୍ରାଞ୍ଚ୍‌କୁ ସାମିଲ କରାଯାଇଛି। ସେହିପରି ସମ୍ବଲପୁର-ପାରାଦ୍ୱୀପ କରିଡରର କଟକ ସହରରେ ଲେନ୍‌ ସମ୍ପ୍ରସାରଣ ଓ ଫ୍ଲାଏଓଭର ନିର୍ମାଣ କରାଯିବ। ସମ୍ବଲପୁର-ରାଞ୍ଚି କରିଡରର ରାଉରକେଲା ସହରରେ ଲେନ୍‌ ସମ୍ପ୍ରସାରଣ ଓ ଫ୍ଲାଏଓଭର ନିର୍ମାଣ ହେବ। ମୁମ୍ବାଇ-କଲିକତା କରିଡରର ସମ୍ବଲପୁର ସହରରେ ଲେନ୍‌ ସମ୍ପ୍ରସାରଣ ଓ ଫ୍ଲାଏଓଭର ନିର୍ମାଣ, ସମ୍ବଲପୁର-ରାଞ୍ଚି କରିଡରର ସମ୍ବଲପୁର ସହରର ଲେନ୍‌ ସମ୍ପ୍ରସାରଣ ଓ ଫ୍ଲାଏଓଭର ନିର୍ମାଣ କରାଯିବାକୁ ଯୋଜନା ହୋଇଥିବା ବେଳେ ଚେନ୍ନାଇ-କଲିକତା କରିଡରର ଭୁବନେଶ୍ୱର ସହରରେ ରିଙ୍ଗ୍‌ରୋଡ୍‌ ନିର୍ମାଣ, ଚେନ୍ନାଇ-କଲିକତା କରିଡ଼ରର ବାଲେଶ୍ୱରରେ ରେଳବାଇ ଓଭର ବ୍ରିଜ ନିର୍ମାଣ କରିବାର ଭାରତମାଳା ଯୋଜନାରେ ଧାର୍ଯ୍ୟ କରାଯାଇଛି।

ଏତଦ୍‌ବ୍ୟତୀତ ଭିଡ଼ ରହୁଥିବା ଚେନ୍ନାଇ-କୋଲକାତା ରୁଟ୍‌ର ଭଦ୍ରକ୍‌ଠାରେ ଇଣ୍ଟରଭେନସନ୍‌ ପଏଣ୍ଟ୍‌ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବନ୍ଦର ସଂଯୋଗୀକରଣ ରୋଡ୍‌ ତାଲିକାରେ ୫୮ କିଲୋମିଟର ଧାମରା ବନ୍ଦର ପାଇଁ ଜାମୁଝଡ଼ି- ଧାମରା ରୋଡ୍‌କୁ ଚାରି ଥାକିଆ କରାଯିବ। ୬ କିଲୋମିଟର ବ୍ୟାପି ରୋଡ୍‌ ସଂଯୋଗୀକରଣ ଗୋପାଳପୁର ବନ୍ଦରରୁ ଛତ୍ରପୁର ପର୍ଯ୍ୟନ୍ତ କରାଯିବ।

ଭାରତମାଳା ଯୋଜନା ଅନ୍ତର୍ଗତ ଦେଶରେ ଯେଉଁ ୩୫ଟି ଲଜିଷ୍ଟିକ୍ସ ପାର୍କସ ନିର୍ମାଣ କରାଯିବ ସେଥିମଧ୍ୟରେ ଜଗତସିଂହପୁର ଓ ସୁନ୍ଦରଗଡ଼ ସାମିଲ ଅଛି। ତେବେ ଭାରତମାଳା ଯୋଜନା ଅନ୍ତର୍ଗତ ବର୍ଡର ରୋଡ୍ସ ଓ ଆର୍ନ୍ତଜାତୀୟ ସଂଯୋଗୀକରଣ ରୋଡ୍‌ ତାଲିକାରେ ଓଡ଼ିଶାର କୌଣସି ପ୍ରକଳ୍ପ ସ୍ଥାନ ପାଇନାହିଁ।

ଅପରପକ୍ଷେ ଭାରତମାଳା ଯୋଜନାରେ ଯେଉଁ ଉପକୂଳ ରୋଡ୍‌ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି ସେଥିରେ ୭୦ କିଲୋମିଟର ବ୍ୟାପି ଛତ୍ରପୁର, ସାତପଡ଼ା, ୪୩୦ କିମି ବ୍ୟାପି କୋଣାର୍କ-ଅସ୍ତରଙ୍ଗ,ନୂଆଗାଁ, ପାରାଦ୍ୱୀପ ବନ୍ଦର – ରତନପୁର-ଧାମରା-ବାସୁଦେବପୁର-ଚନ୍ଦେଶ୍ୱର-ଦୀଘା ସାମିଲ ରହିଛି। ଭାରତମାଳା ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ୨୦୨୨ ସୁଦ୍ଧା ଚୂଡ଼ାନ୍ତ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଭାରତମାଳା ଯୋଜନା ଅନ୍ତର୍ଗତ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ନିର୍ଦ୍ଧାରିିତ ସମୟସୀମା ମଧ୍ୟରେ ଶେଷ କରାଯିବ ଓ ସମ୍ପୂର୍ଣ୍ଣ ପାରଦର୍ଶିତା ଅବଲମ୍ବନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରି କହିଥିଲେ।

ସମ୍ବନ୍ଧିତ ଖବର