ଭାଷା ପାଇଁ ବିବାଦ ତେଜିଲା

ମୁଖ୍ୟ ଶାସନ ସଚିବଙ୍କୁ ଭାଷା ଆନ୍ଦୋଳନର ଦାବିପତ୍ର

ଭୁବନେଶ୍ୱର : ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ବିରୋଧରେ ଗୁରୁତ୍ୱର ଅଭିଯୋଗ ଆଣିଛି ଭାଷା ଆନ୍ଦୋଳନ। ଡ. ପଟ୍ଟନାୟକ ସରକାରୀ ସନ୍ଦର୍ଭ ଚୋରି କରିଛନ୍ତି ବୋଲି ନେହେରୁ ଯୁବ ପ୍ରତିଷ୍ଠାନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି ସଙ୍ଗଠନ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରମୁଖ ଅବଦାନ ରହିଛି। ଏହି ମାନ୍ୟତା ଲାଗି ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ସନ୍ଦର୍ଭକୁ ଚୋରି କରି ଏକ ଘରୋଇ ସଂସ୍ଥା ସମାନ୍ତରାଳ ଭାବେ ସ୍ୱତ୍ୱାଧିକାର ସୃଷ୍ଟି କରାଇଛନ୍ତି। ଏହାଦ୍ୱାରା ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଇତିହାସ କଳୁଷିତ ହୋଇଛି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ପଦ୍ମଶ୍ରୀ ଡ. ପଟ୍ଟନାୟକ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓଡ଼ିଆ ଷ୍ଟଡିସ୍‌ ଆଣ୍ଡ ରିସର୍ଚ୍ଚ’ର ଅଧ୍ୟକ୍ଷ ରହିଛନ୍ତି। ଏହି ସଂସ୍ଥା ମାଲିକାନାରେ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା କରିବାକୁ ୨୦୧୨ରେ ଉଦ୍ୟମ ହୋଇଥିଲା। ଏଥିପାଇଁ ଗୟଳବାଙ୍କ ମୌଜାରେ ୮୪.୧୮୦ ଏକର ଜମି ଦେବା ଲାଗି ଚିହ୍ନଟ କରାଯାଇଥିଲା। ମାତ୍ର ଉକ୍ତ ସଂସ୍ଥା କୌଣସି ଗବେଷଣା କରୁ ନ ଥିବାରୁ ସରକାର ଅନୁମତି ଦେଇ ନ ଥିଲେ।

ଏହାପରେ ୨୦୧୩ରେ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତ ହେଉଥିବା ଶାସ୍ତ୍ରୀୟ ମାନ୍ୟତା ସନ୍ଦର୍ଭରେ ପଦ୍ମଶ୍ରୀ ଡ. ପଟ୍ଟନାୟକ ନିଜକୁ ସାମିଲ କରି ତଥ୍ୟ ଚୋରାଇ ନେଇଥିଲେ। ସରକାରୀ ସନ୍ଦର୍ଭକୁ ଛାଡ଼ି ସମ୍ପୃକ୍ତ ସଂସ୍ଥା ଆଉ ଏକ ସନ୍ଦର୍ଭ ପ୍ରସ୍ତୁତ କରି ଭାଷା ବିଶେଷଜ୍ଞ କମିଟି ନିକଟରେ ଉପସ୍ଥାପନ କରିଥିଲା, ଯାହାକି ଏକ ଅପରାଧ। ଏଥିରେ ସେତେବେଳର ସରକାରୀ ଅଧିକାରୀମାନେ ମଧ୍ୟ ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକଳାପ ପାଇଁ ଦେବୀବାବୁଙ୍କୁ କଳା ତାଲିକା ଭୁକ୍ତ କରାଯାଉ। ଅପରାଧର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଭାଷା ପ୍ରତିଷ୍ଠାନର ଆବାହକ ପବିତ୍ର ମହାରଥା, ଜାନକୀସ୍‌ ବଡ଼ପଣ୍ଡା, ସାରଦା ମହାପାତ୍ର, ଆଶିଷ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର