‘ଆଇନଜୀବୀମାନେ ମହକିଲଙ୍କ ଭରସା ଜିଣନ୍ତୁ’

ଭିକାରୀ ଚରଣ ପଣ୍ଡାଙ୍କ ଜୟନ୍ତୀ ସମାରୋହ

କଟକ : ଆଇନଜୀବୀ ସ୍ୱର୍ଗତ ଭିକାରୀ ଚରଣ ପଣ୍ଡା ଜଣେ ସଫଳ ଆଇନଜୀବୀ ଥିଲେ। ନିଜ ଗୋଡ଼ରେ ଠିଆ ହେବା ପାଇଁ ଜୀବନରେ ସେ ବହୁ ସଂଘର୍ଷ କରିଥିଲେ। ତାଙ୍କ ନିଷ୍ଠା ଓ ଆନ୍ତରିକ ଉଦମ୍ୟ ତାଙ୍କୁ ପ୍ରତିଷ୍ଠିତ କରିପାରିଥିଲା ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର କହିଛନ୍ତି। ହାଇକୋର୍ଟ ବାର୍‌ କନ୍‌ଭେନ୍‌ସନ ହଲ୍‌ରେ ଆୟୋଜିତ ଆଇନଜୀବୀ ସ୍ୱର୍ଗତ ଭିକାରୀ ଚରଣ ପଣ୍ଡାଙ୍କ ୯୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍‌ ମିଶ୍ର ଆଇନଜୀବୀ ସର୍ଗତ ପଣ୍ଡାଙ୍କ ଜୀବନ ଓ ଆଦର୍ଶକୁ ଯୁବ ଆଇନଜୀବୀମାନେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ ଜୟନ୍ତୀ ଉତ୍ସବରେ ବୃତ୍ତିଗତ ଜୀବନର ଗୁଣଗାନ ଅନ୍ୟମାନଙ୍କୁ ଉତ୍ସାହ ଦେଇଥାଏ। ଅଭାବ ଅସୁବିଧାରେ ପାଠ ପଢି ଭିକାରୀ ପଣ୍ଡା ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ। ଆଜିକାଲି ସବୁ ସୁବିଧା ସୁଯୋଗ ପାଉଥିବା ପିଲା ବି ପାଠ ପଢୁ ନାହାନ୍ତି। ବ୍ୟକ୍ତିଗତ ସଫଳତା ପାଇବା ସହିତ ସେ ମହକିଲମାନଙ୍କ ବିଶ୍ୱାସ ଓ ଭରସାର ପାତ୍ର ହୋଇପାରିଥିଲେ। ଆଜିର ତୁରଣ ଆଇନଜୀବୀମାନେ ସ୍ୱର୍ଗତ ପଣ୍ଡାଙ୍କ ଭଳି ଭରସାଯୋଗ୍ୟ ଆଇନଜୀବୀ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆମେରିକାର ପ୍ରଖ୍ୟାତ ଚିକିତ୍ସକ ତଥା ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଡାକ୍ତର ଭାଗବତ ସାହୁ କହିଲେ ଯେ ଧୈର୍ଯ୍ୟ, ଦକ୍ଷତା ଆଦି ସବୁ ଥାଇ ମଧ୍ୟ ଭଗବତ କୃପା ନହେଲେ ମଣିଷ ସଫଳ ହୋଇପାରିବ ନାହିଁ। ଆଇନଜୀବୀ ସ୍ୱର୍ଗତ ପଣ୍ଡା କର୍ମକୁ ଜୀବନର ମାନଦଣ୍ଡ ଭାବେ ଗ୍ରହଣ କରି ସଫଳ ହୋଇଥିଲେ। ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି। ଅନ୍ୟତମ ଅତିଥି ହାଇକୋର୍ଟ ବାର ଆସୋସିଏସନ୍‌ ସଭାପତି ତଥା ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା କହିଥିଲେ ଯେ ସଫଳତା ପାଇଁ କିଛି ସଂକ୍ଷିପ୍ତ ବାଟ ନାହିଁ। ତରୁଣ ଆଇନଜୀବୀମାନେ ଭିକାରୀ ପଣ୍ଡାଙ୍କ ଜୀବନୀ ଦ୍ୱାରା ପ୍ରଭାବିତ ହୋଇ ଆଗକୁ ବଢନ୍ତୁ ବୋଲି ଶ୍ରୀ ପରିଜା ପରାମର୍ଶ ଦେଇଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ବରିିଷ୍ଠ ଆଇନଜୀବୀ ଭକ୍ତହରି ମହାନ୍ତି ଓ ଖୋର୍ଧା ବାର୍‌ର ବରିଷ୍ଠ ଆଇନଜୀବୀ ପ୍ରଫୁଲ ଚନ୍ଦ୍ର ମହାନ୍ତିଙ୍କୁ ଭିକାରୀ ଚରଣ ପଣ୍ଡା ଆଇନ ସମ୍ମାନ ପ୍ରଦାନ କରାଯାଇଥିଲା। ତରୁଣ ଆଇନଜୀବୀ ପ୍ରଭୁପ୍ରସନ୍ନ ବେହେରାଙ୍କୁ ରାଜେଶ ପଣ୍ଡା ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ମୁଟ୍‌ କୋର୍ଟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ପ୍ରିୟମ୍ବଦା ଦାସ, ସ୍ନେହା ପାତ୍ର, ଜେନାମଣି ଜୀବନଜ୍ୟୋତି, ସ୍ନେହାଶିଷ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା।

ଭିକାରୀ ଚରଣ ପଣ୍ଡା ସ୍ମୃତି ସଂସଦ ସଭାପତି ବରିଷ୍ଠ ଆଇନଜୀବୀ ଡକ୍ଟର ଗଙ୍ଗାଧର ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ କାର୍ଯ୍ୟକାରୀ ସଂପାଦକ ଆଇନଜୀବୀ ଦେବସ୍ନାନ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟନିର୍ବାହୀ ସଂପାଦକ ଆଇନଜୀବୀ ଦୀପ୍ତିରେଖା ନନ୍ଦ ପ୍ରାରମ୍ଭିକ ସୂଚନା ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ସୁନନ୍ଦା ବିଶ୍ୱାଳ, ମଧୁଛନ୍ଦା ପାଢ଼ୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ସଂଗୀତା ମହାନ୍ତି ଓ ସୁଷମା ସାହୁ ମାନପତ୍ର ପାଠ କରିଥିଲେ। ଦେବାଶିଷ ପଣ୍ଡା, ସମ୍ବିତ ପଣ୍ଡା, ସୁବ୍ରତ ପଣ୍ଡା ପ୍ରମୁଖ ସ୍ୱର୍ଗତ ଭିକାରୀ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର