କିସ୍‌ରେ ଭୀମଭୋଇ ଚେୟାର ଓ ଗବେଷଣା କେନ୍ଦ୍ର ଉଦ୍‌ଘାଟିତ, ସନ୍ଥକବିଙ୍କ ପ୍ରତିମୂର୍ତି ଲୋକାର୍ପିତ

ଭୁବନେଶ୍ୱର : ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‌ରେ ସନ୍ଥକବି ଭୀମଭୋଇଙ୍କ ଜୀବନୀ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା ପାଇଁ ସନ୍ଥକବି ଭୀମଭୋଇ ଚେୟାର ଓ ଗବେଷଣା କେନ୍ଦ୍ରକୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ତଥା ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ଉଦ୍‌ଘାଟିତ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝି କହିଥିଲେ, ସନ୍ଥକବିଙ୍କ ନାମରେ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ପ୍ରକୃତରେ ଭୀମଭୋଇଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଭୀମଭୋଇ ସର୍ବଦା ଦଳିତ, ଅବହେଳିତ ଓ ନିଷ୍ପେଷିତଙ୍କ ଉତ୍‌ଥାନ ପାଇଁ ସର୍ବଦା ଚିନ୍ତା କରୁଥିବା ବେଳେ କିସ୍‌ ମଧ୍ୟ ଏହି କାର୍ଯ୍ୟ କରୁଛି। ତେଣୁ ଭୀମଭୋଇ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ କିସ୍‌ ପ୍ରକୃଷ୍ଟ ସ୍ଥାନ।

ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭୀମଭୋଇଙ୍କ ଜୀବନଦର୍ଶନ ଆଧାରରେ କିସ୍‌ ଦୀର୍ଘ ୨୫ବର୍ଷ ହେଲା ସମାଜର ଅବହେଳିତ ଜନଜାତି ବର୍ଗ ପାଇଁ କାର୍ଯ୍ୟ କରିଆସୁଥିବା ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଭୀମଭୋଇ ଭୁବନେଶ୍ୱରର ପଥରଗାଡ଼ିଆ, ଦାରୁଠେଙ୍ଗ, ପଟିଆ ଓ ଡମଣା ଅଞ୍ଚଳରେ ଦୀର୍ଘ ୨୫ ଦିନ ବ୍ୟାପୀ ମହିମା ଧର୍ମ ଉପରେ ପ୍ରବଚନ ଦେବା ସହ ମହିମା ଧର୍ମର ପ୍ରଚାର ଓ ପ୍ରସାର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର ସଂପାଦକ ଆର ଏନ୍‌ ଦାଶ, କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତିି ଓ କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି. କେ. ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଭୀମଭୋଇଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାଝୀ କିସ୍‌ ପରିସରରେ ସନ୍ଥକବିଙ୍କ ଏକ ପ୍ରତିମୂର୍ତିକୁ ଲୋକାର୍ପିତ କରିଥିଲେ।

ସମ୍ବନ୍ଧିତ ଖବର